ଅନାସ୍ଥା ପ୍ରସ୍ତାବରେ ହାରି ପ୍ରଧାନମନ୍ତ୍ରୀ ପଦରୁ ବିଦାହେଲେ ଇମ୍ରାନ

ଇସଲାମାବାଦ,୧୦/୦୪:  ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ଶେଷ ହୋଇଛି । ଏଥିରେ ଇମ୍ରାନ୍ ଖାନ୍ ହାରିଯାଇଛନ୍ତି ।ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅନାସ୍ଥା ପ୍ରସ୍ତାବରେ ହାରି ନିଜ ପଦରୁ ବିଦା ହୋଇଛନ୍ତି ଇମ୍ରାନ । ଇମ୍ରାନ୍ ଖାନ ବିରୋଧରେ ୧୭୪ ଭୋଟ ପଡ଼ିଛି । ପିଏମ୍‌ଏଲ୍‌ର ସଂସଦ ବାଚସ୍ପତିର ଦାୟିତ୍ୱ ନେବା ପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯାଇଥିଲା । ଭୋଟିଂ ସମୟରେ ଇମ୍ରାନ୍ ଖାନଙ୍କ ଦଳର ସାଂସଦମାନେ ବାହାରକୁ ଚାଲିଯାଇଥିଲେ । ଏଥି ସହିତ ଇମ୍ରାନ୍ ଖାନ୍‌ଙ୍କ ସରକାର ଭୁଶୁଡ଼ି ଯାଇଛି ।   ପାକିସ୍ତାନରେ ପିଏମ୍‌ଏଲ୍‌ର ଚେୟାରମ୍ୟାନ୍ ଶହବାଜ୍ ଶରୀଫ ଆଗାମୀ ପ୍ରଧାନମନ୍ତ୍ରୀ ହେବେ । ସେ ଦେଶବାସୀଙ୍କୁ ସମ୍ବୋଧିକ କରିବା ଅବସରରେ କହିଛନ୍ତି ନୂଆ ସକାଳର ଆରମ୍ଭ ହୋଇଛି । ଇମ୍ରାନଙ୍କ ଦଳ ପିଟିଆଇ ନିଜର ପରାଜୟ ସ୍ୱୀକାର କରିଥିଲା । ପିଟିଆଇ କର୍ମୀମାନେ ମଧ୍ୟ ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍‌ଲାମାବାଦରେ ସେନା ମୁତୟନ କରାଯାଇଛି । ସବୁ ବିମାନବନ୍ଦର ଓ ହସ୍ପିଟାଲକୁ ହାଇଆଲର୍ଟରେ ରଖାଯାଇଛି। ଇମ୍ରାନଙ୍କ ବିରୋଧରେ ଇସ୍‌ଲାମାବାଦ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି । ହାଇକୋର୍ଟ ଆସନ୍ତା ୧୧ ତାରିଖରେ ଏହା ଉପରେ ଶୁଣାଣି କରିବେ । ଇମ୍ରାନଙ୍କୁ ଦେଶଛାଡିବା ଉପରେ ରୋକ୍‌ ଲଗାଇବାକୁ ପିଟିସନରେ ଦାବି କରାଯାଇଚି । ଏଥିସହ ଇମ୍ରାନଙ୍କ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିବା ଫୱଦ ଚୌଧୁରୀ ଓ ବିଦେଶ ମନ୍ତ୍ରୀ ଥିବା ଶାହ ମହମ୍ମଦ କୁରେସିଙ୍କ ବିରୋଧରେ ମଧ୍ୟ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ସେହିଭଳି ଇମ୍ରାନଙ୍କ ସଚିବ ଆଜମ ଖାନଙ୍କୁ ବଦଳି କରାଯାଇଛି । ରବିବାର ଅପରାହ୍ନ ୨ଟାରେ ସଂସଦର ଅଧିବେଶନ ପୁଣି ବସି ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ କରାଯିବ । ପିଏମ୍‌ଏଲ୍‌-ଏନ୍‌ ନେତା ଶାହବାଜ ଶରିଫ ନୂଆ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି ।