ଭୁବନେଶ୍ୱର,୩୦/୩ : ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ବଢ଼ୁଛି ତାପମାତ୍ରା । ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆହୁରି ୩ରୁ ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୩୦ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସହରରେ ପ୍ରଚଣ୍ଡ ତାତି ଅନୁଭୂତ ହେବାକୁ ଥିବାରୁ ୮ଟି ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୩୧ ଯାଏଁ ମୟୂରଭଞ୍ଜ, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲା ଲାଗି ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ପବନ ବୋହିବା ଯୋଗୁଁ ତାତି ବଢ଼ିବାରେ ଲାଗିଛି । ଅନୁଗୁଳ, ବୌଦ୍ଧ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ, ସୋନପୁର ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ରୋଗୀଣା ବ୍ୟକ୍ତିମାନଙ୍କୁ ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ବାରଣ କରିଛନ୍ତି ।ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ମୁଣ୍ଡଫଟା ଖରା ଜାରି ରହିବ । ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ । ବଲାଙ୍ଗୀର ସମେତ ରାଜ୍ୟର ୭ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ପାଣିପାଗ ବିଭାଗର ସୂଚନାନୁ ସାରେ ବଲାଙ୍ଗିର, ଟିଟିଲାଗଡ଼, ଅନୁଗୁଳ, ସୋନପୁର, ବାରିପାଦା ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ବୁଧବାର ରାଜ୍ୟରେ ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାରେ ବି ଖରା ରହିବ । ସନ୍ଧ୍ୟା ବେଳକୁ ସମୂଦ୍ର ଆଡୁ ପବନ ବହିବ । ୨ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । କିଛି ସ୍ଥାନରେ ତାତି ୪୨ କିମ୍ବା ୪୩ ଡିଗ୍ରୀ ସେଲସିୟସ୍ ଛୁଇଁବ । ୩ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ତାପମାତ୍ରା ଟିକେ କମିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।
-Advertisement-
-Advertisement-