ମୁମ୍ବାଇ,୨୬/୦୩: ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମଜା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)। ମାର୍ଚ୍ଚ ୨୬ରେ ମୁମ୍ବାଇର ଐତିହାସିକ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ । ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ । ଏଥର ଆଇପିଏଲ ୨୦୨୨ ମେଗା ହେବାକୁ ଯାଉଛି। ଏଥିପାଇଁ ମୋଟ୍ ୮୦ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି। ଦୁଇ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅଲଗା ଅଲଗା ଭାଷାରେ କମେଣ୍ଟ୍ରି କରାଯିବ। କୋଲକାତା ଟିମ୍ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ନେତୃତ୍ୱକୁ ଭେଟିବ । ଗତ ସଂସ୍କରଣରେ ଏହି ୨ଟି ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଚେନ୍ନାଇ ଏହାକୁ ନିଜ ନାଁରେ ସାମିଲ କରିବା ସହିତ ୪ର୍ଥ ଥର ପାଇଁ ଚମ୍ପିଅନ ହୋଇଥିଲା । ଆଇପିଏଲ ୨୦୨୨କୁ ୮ ଭିନ୍ନ ଭିନ୍ନ ଭାଷାରେ ଏବଂ ୨୪ ଅଲଗା ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥର ଆଇପିଏଲର କମେଣ୍ଟ୍ରି ହିନ୍ଦୀ, ଇଂରାଜୀ, ତାମିଲ, କନ୍ନଡ, ମରାଠୀ, ମାଲାୟାଲମ, ବଙ୍ଗାଳି ଭାଷାରେ କରାଯିବ। ଏଥିପାଇଁ ଷ୍ଟାର ପକ୍ଷରୁ ୮୦ ଜଣ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଅନେକ ଦିଗ୍ଜ ଭାଷ୍ୟକାରଙ୍କ ନାମ ସାମିଲ୍। ଆଇପିଏଲ ୨୦୨୨ରେ ଭାଷ୍ୟକାରଙ୍କ ତାଲିକାରେ ଅନେକ ଦିଗ୍ଜ ରହିଛନ୍ତି। ହର୍ଷ ଭୋଗଲେ, ସୁନିଲ ଗାଭାସ୍କର, ରବି ଶାସ୍ତ୍ରୀ, ସୁରେଶ ରୈନା, ଆକାଶ ଚୋପ୍ରା, ଇରଫାନ ପଠାନଙ୍କ ପରି ନାମ ଏଥର ଆଇପିଏଲରେ କମେଣ୍ଟ୍ରି ଟିମ୍ରେ ଅଛନ୍ତି।୨୦୨୨ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁନେରେ ୪ଟି ଭେନ୍ୟୁ ଚୟନ କରାଯାଇଛି। ଲିଗର ସମସ୍ତ ମ୍ୟାଚ୍ ଏହି ଭେନ୍ୟୁରେ ଖେଳାଯିବ।ସମସ୍ତ ୧୦ଟି ଯାକ ଦଳର ଶିବିର ଏବେ ଚଳଚଞ୍ଚଳ ରହିଛି । ନେଟ୍ସରେ ଅଭ୍ୟାସ ସାଙ୍ଗକୁ ଦଳର ଏକାଦଶ ଚୟନ ଓ ରଣନୀତି ପ୍ରସ୍ତୁତି ଉପରେ ଫ୍ରାଞ୍ଚାଇଜମାନେ ଗୁରୁତ୍ୱ ଦେଉଛନ୍ତି । ସବୁଠୁ ବଡ଼ କଥା ହେଉଛି, ସମସ୍ତ ଦଳ ଏହି ସିଜନରୁ ନୂଆ ଆରମ୍ଭ କରିବେ । କୌଣସି ଦଳକୁ ପ୍ରାରମ୍ଭରୁ ଦାବିଦାର ଭାବେ ବିବେଚନା କରିବା ଠିକ୍ ହେବ ନାହିଁ । ପ୍ରତ୍ୟେକ ଦଳରେ ରହିଛନ୍ତି ଯୁବ ଓ ଅଭିଜ୍ଞ ଖେଳାଳି । କେଉଁ ମୁହୂର୍ତ୍ତରେ ବି ମ୍ୟାଚର ମୋଡ଼ ବଦଳାଇ ଦେବାର ସେମାନଙ୍କର ସାମର୍ଥ୍ୟ ରହିଛି ।
-Advertisement-
-Advertisement-