ଭୁବନେଶ୍ୱର, ୧୮/୦୪ : ଓଡ଼ିଆ ସଂଗୀତ ଜଗତରେ ‘କମଳଦେଶର ରାଜକୁମାର’ ଭାବେ ବେଶ୍ ପରିଚିତ ପ୍ରଫୁଲ୍ଲ କରଙ୍କ ପରଲୋକ ହୋଇଯାଇଛି । ସ୍ଥାନୀୟ ସତ୍ୟନଗରସ୍ଥିତ ବାସଭବନରେ ପ୍ରଫୁଲ୍ଲ କରଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏବାବଦରେ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି । ଓଡ଼ିଶୀ ଓ ଶାସ୍ତ୍ରୀୟ ସଂଗତରେ ବିଚକ୍ଷଣ ଜ୍ଞାନ ଥିବା ପ୍ରଫୁଲ୍ଲ କର ଅନେକଗୁଡ଼ିଏ ଓଡ଼ିଆ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପ୍ରଫୁଲ୍ଲ କରଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଟୁଇଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ସ୍ୱର୍ଗତ କରଙ୍କ ପ୍ରତିଟି କାଳଜୟୀ ଗୀତ ତାଙ୍କୁ ସବୁଦିନ ପାଇଁ ଅମର ରଖିବ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । ସେହିପରି ଓଡ଼ିଆ ସଂଗୀତ ଜଗତରେ ଏକ ଯୁଗର ଅବସାନ ହୋଇଛି! ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ବିଶିଷ୍ଟ ସଂଗୀତକାର, ଗାଳ୍ପିକ ତଥା ସ୍ତମ୍ଭକାର, ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି । ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ କରଙ୍କୁ ଜଣେ ଯଶସ୍ଵୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ଵିଟ୍ରେ ଲେଖିଛନ୍ତି ଯେ, ଜଣେ ଗୀତିକାର ସଂଗୀତଜ୍ଞ ତଥା ସଂଗୀତ ନିର୍ଦ୍ଦେଶକ ଭାବରେ ସେ ଅନେକ ଗୌରବଜ୍ଵଳ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି। ତାଙ୍କର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ଓ ନିର୍ଦ୍ଦେଶନା ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ। ଏହା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ସମ୍ମାନ ସହ ସ୍ଵର୍ଗତ କରଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
-Advertisement-
-Advertisement-