ଭୁବନେଶ୍ୱର୨୩/୦୪:ଆଜି ଠାରୁ ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ଆରମ୍ଭ ହେବ ଆଦିବାସୀ ମେଳା । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳା ଓଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀକୁ ଉଦଘାଟନ କରିବେ । ମେଳାରେ କିଣା ବିକା ପାଇଁ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଜଙ୍ଗଲଜାତି ସାମଗ୍ରୀ ଉପଲବ୍ଧ ହେବ । ଏଥିପାଇଁ ମୋଟ୍ ୧୦୦ଟି ଷ୍ଟଲ କରାଯାଉଥିବା ବେଳେ ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ଯୋଗଦେବେ । ତେବେ ସେମାନଙ୍କ ଷ୍ଟଲରେ କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ ।ସେହିଭଳି ଏହି ୧୦ଦିନିଆ ମେଳାରେ ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିବାକୁ ଥିବା ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ । ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ୱତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିବ । ଦେଶର ୧୮ଟି ରାଜ୍ୟରୁ ଆସିବାକୁ ଥିବା କଳାକାରମାନେ ଏଠାରେ ସେମାନଙ୍କ କଳାନୈୂଣ୍ୟ ପ୍ରଦଶର୍ନ ସହିତ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ । ତେବେ ଚଳିତବର୍ଷ ଅନୁଷ୍ଠିତ ଆଦିବାସୀ ମେଳାରେ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ମିଳିବନାହିଁ ।୫୬ଟି ଆଦିବାସୀ ନୃତ୍ୟ ଦଳ ନାଚଗୀତ ପରିବେଷଣ କରିବେ । ପ୍ରତିଦିନ ଅପରାହ୍ଣ ସାଢ଼େ ୩ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମେଳା ଓ ପ୍ରଦର୍ଶନୀ ଖୋଲା ରହିବ । ସନ୍ଧ୍ୟା ସାଢ଼େ ୬ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରତିବର୍ଷ ଜାନୁୟାରୀ ୨୬ତାରିଖରୁ ଏହି ମେଳା ଅନୁଷ୍ଠିତ ହେଉଥିବାବେଳେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ହୋଇପାରି ନ ଥିଲା । ତେଣୁ ଏବେ କଟକଣା କୋହଳ ପରେ ଆୟୋଜିତ ହେଉଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
-Advertisement-
-Advertisement-