ରାଜକନିକା,୧୪/୩ : ସୋମବାର ରାଜକନିକାର ପ୍ରସିଦ୍ଧ ପଞ୍ଚୁଦୋଳ ମେଲଣ ଆରମ୍ଭ ହେବ । କାଳିକାପୁର ମେଲଣ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରସିଦ୍ଧ ମେଲଣରେ ୫୦ରୁ ଅଧିକ ସୁସର୍ଜ୍ଜିତ ବିମାନରେ ରାଜକନିକାର ଗୋପିନାଥଜୀଉ, ନୃସିଂହନାଥ ଜୀଉ, ଗୋପାଳ ଜୀଉ, ରାଧାକାନ୍ତ ଜୀଉ, ଶିବଲାଲା ଜୀଉ, ରାଧାମୋହନଜୀଉ, ବୃନ୍ଦାବନଜୀଉ, ଗୋପାଳ ନାରାୟଣଜୀଉ, ଲଛମନଜୀଉ,ରାଜଗୁରୁଜୀଉ,କୋଟିବ୍ରହ୍ମାଣ୍ଡଜୀଉ, ରଘୁନାଥଜୀଉ, ରାହାସବିହାରୀ ଜୀଉ, ନନ୍ଦଲାଲ ଜୀଉ, ଗୋପାଳ ଜୀଉ, ଦଧିବାବନ ଜୀଉ, ରାଧାମାଧବ ଜୀଉ, ବିରାଲାଲ ଜୀଉ, ଜୟକୃଷ୍ଣ ଜୀଉ ଏବଂ ପତିତ ପାବନ ଜୀଉ ପ୍ରଭୃତି ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିଙ୍କ ଆର୍ବିଭାବ ଧର୍ମୀୟ ଭାବଧାରାକୁ ଉଜୀବିତ କରିବେ । ଦୀର୍ଘ ୬୦୦ବର୍ଷର ପୁରାତନ ଏହି ମେଲଣରେ ବିଶ୍ୱ ଭାତୃଭାବ ସହିତ ପରସ୍ପର ରଙ୍ଗ ଅବିରରେ ଆଲିଙ୍ଗନ କରି ହୋଲି ଖେଳିବାର ପରମ୍ପରା ରହିଛି । କାଳିକାପୁର ପଞ୍ଚୁଦୋଳ ମେଲଣ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେବ ମେଲଣ ଉତ୍ସବରେ ଜନସମାଗମକୁ ବାରଣ କରାଯାଇଥିଲା । ହେଲେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଚଳିତ ବର୍ଷ ମେଲଣ ଉତ୍ସବରେ ଜନସାଧାରଣ ସାମିଲ ହୋଇପାରିବେ ବୋଲି ଘୋଷଣା କରାଯିବା ସହିତ ପୂର୍ବପରମ୍ପରା ଅନୁଯାୟୀ ଏହି ଉତ୍ସବକୁ ପାଳନ କରାଯିବ ବୋଲି କହିଛନ୍ତି । ଏହି ଖବର ଜଣାପଡ଼ିବା ପରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ୫ହଜାରରୁ ଉର୍ଦ୍ଧ ଜନସମାଗମ ହେବାର କାର୍ଯ୍ୟକ୍ରମ ରହିଛି । ବହୁ ବୟସ୍କ ଭକ୍ତମାନେ ପୁରାତନ ହୋଲି ଗୀତ ପରିବେଷଣ କରିବେ । ଏହି ଅବସରରେ ମେଲଣ କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭଜନ ସମାରୋହ ଅନୁଷ୍ଟିତ ହେବ । ଆଗାମୀ ପାଞ୍ଚଦିନ ଧରି ହେବାକୁ ଥିବା ଏହି ପ୍ରସିଦ୍ଧ ମେଳଣ ଆୟତନ, ଦେଉଳି, ଗୀରିୟା ଏବଂ ଶେଷ ଦିନ ରାଜକନିକା ରାଜମେଲଣ ଭାବେ କନିକା ରାଜପ୍ରାସାଦ ଆଗରେ ଅନୁଷ୍ଠିତ ହେବ । କନିକା ରାଜା ଏବଂ ରାଣୀ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା କରିବା ସହିତ ଜନସାଧାରଣଙ୍କ ସହିତ ହୋଲି ଖେଳିବାର କାର୍ଯ୍ୟକ୍ରମ ରହିଛି । ।