ଭୁବନେଶ୍ୱର ,୦୮/୦୪: ଆଜି ନେତ୍ର ଉତ୍ସବ| ଏଥିପାଇଁ ଏକାମ୍ର କ୍ଷେତ୍ର ଉତ୍ସବ ମୁଖର । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା । ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହେବ । ଏଥିପାଇଁ ରଥ ଗଡ଼ାରେ ରଥ କାମ ପ୍ରାୟ ଶେଷ ହେବା ଉପରେ । ସନ୍ଧ୍ୟା ସୁଦ୍ଧା ରଥର ଅନ୍ତିମ ପର୍ଯ୍ୟାୟ ଚାରି ଦୁଆର, ସିଂହାସନ ଓ ବତା ବାଡ଼ିଆ କାମ ଶେଷ ହେବ ବୋଲି ମୁଖ୍ୟ କାରିଗର ସୋମନାଥ ଓ ବଟକୃଷ୍ଣ ମହାରଣା କହିଛନ୍ତି । ଏଥର ଭକ୍ତ ଟାଣିବେ ରଥ ।ସେହିପରି ରଥ ଉପରେ ପାଶ୍ୱର୍ ଦେବ ଗଣେଶ, କାର୍ତ୍ତିକଙ୍କୁ ସ୍ଥାପନ କରିବା ସହ ନବଗ୍ରହ, ଘୋଡ଼ା, ଶୁଆ, ଶାରୀ, କଳସ ଓ ସଖୀ ଆଦି ଲଗାଇବା କାମ ମଧ୍ୟ ଅପରାହ୍ଣରେ ଶେଷ ହେବ ବୋଲି ବରିଷ୍ଠ ଚିତ୍ରକାର କେଦାରନାଥ ମହାରଣା କହିଛନ୍ତି । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ପରେ ରାତି ୧୦ଟାରୁ ସକାଳ ୪ଟା ମଧ୍ୟରେ ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହେବ । ଏହି ନୀତି ପାଇଁ ସନ୍ଧ୍ୟା ଧୂପ ପରେ ମୁକ୍ତେଶ୍ୱର ମନ୍ଦିରସ୍ଥିତ ମରିଚି କୁଣ୍ଡରୁ ପାଣି ଅଣାଯାଇ ରଥଖଳାଠାରେ ଥିବା ମଣ୍ଡପରେ ରଖାଯିବ । ପରେ ମନ୍ଦିରରୁ ବୃଷଭଙ୍କୁ ଏହି ମଣ୍ଡପକୁ ବିଜେ କରାଯିବ । ସେଠାରେ ଚାରି ଦୁଆର ଓ ବ୍ରହ୍ମା ପୂଜା କରାଯିବ । ଶେଷରେ ରଥ ପ୍ରତିଷ୍ଠା କରାଯାଇ ଠାକୁରଙ୍କ ବଡ଼ସିଂହାର ଲାଗି ହେବ । ସମସ୍ତ ନୀତିକୁ ଠିକଣା ସମୟରେ ସାରିବା ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର କାର୍ଯ୍ୟାଳୟଠାରେ ଦୁଇଟି ବୈଠକ ବସିଥିଲା । ପ୍ରଥମ ବୈଠକରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସଭାପତିତ୍ୱରେ ନେତ ଉତ୍ସବ ଓ ଅଶୋକାଷ୍ଟମୀ ଦୁଇ ଦିନ ପାଇଁ ନିୟୋଜିତ ହେବାକୁ ଥିବା ପାଳିଆ ସେବାୟତ ଯୋଗ ଦେଇଥିଲେ । ଏଥିରେ ପାଳିଆ ସେବାୟତମାନେ ଠିକଣା ସମୟରେ ନୀତି ସମ୍ପନ୍ନ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ସନ୍ଧ୍ୟା ୫ଟା ବେଳେ ଅନ୍ୟ ଏକ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏଥିରେ ବ୍ରାହ୍ମଣ, ପୂଜାପଣ୍ଡା ଓ ସମର୍ଥା ନିଯୋଗ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ୩ ନିଯୋଗ ଦୀର୍ଘଦିନ ହେବ କିଛି ନିର୍ଦ୍ଦିଷ୍ଟ ଦାବି ପ୍ରଶାସନ ପାଖରେ ରଖି ଆସୁଥିଲେ । ସେଥିମଧ୍ୟରୁ ଗର୍ଭଗୃହରେ ଦିଅଁଙ୍କ ଦର୍ଶନ, ଜମି ବନ୍ଦୋବସ୍ତ, ଠାକୁରଙ୍କ ପରମ୍ପରା ଭଙ୍ଗ ଓ ଦେବୋତ୍ତର କମିଶନରଙ୍କ ନିକଟରେ ବିଚାରାଧୀନ ମାମଲାର ଫଇସଲା କରିବା ଆଦି ପ୍ରସଙ୍ଗ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏ ସମସ୍ତ ପ୍ରସଙ୍ଗ ପର୍ଯ୍ୟାୟ କ୍ରମେ ସମାଧାନ କରିବାର ପ୍ରତିଶ୍ରୁତି ମିଳିବା ପରେ ୩ ପ୍ରମୁଖ ନିଯୋଗ ପ୍ରତିନିଧିଙ୍କ ମାନଭଞ୍ଜନ ହୋଇଥିଲା । ଶେଷରେ ଏମାନେ ଠାକୁରଙ୍କ ରଥଯାତ୍ରା ନୀତିକାନ୍ତି ପାଳନ ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ସହମତି ପ୍ରକାଶ କରିଥିଲେ ।
-Advertisement-
-Advertisement-