ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ

କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ହେବ ଏହି ପର୍ଯ୍ଯାୟ ନିର୍ବାଚନ

ଆସନ୍ତାକାଲି ପହଞ୍ଚିବେ ପୋଲିଂ ପାର୍ଟି

ପୁରୀ, ତା. ୧୩/୦୨- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ହେବ ଏହି ପର୍ଯ୍ଯାୟରେ ନିର୍ବାଚନ । କୃଷ୍ଣପ୍ରସାଦ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୪୦ଟି ୱାର୍ଡ, ୨ଟି ଜିଲ୍ଲା ପରିଷଦ ଜୋନ, ବ୍ରହ୍ମଗିରିର ୨୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୩୭୪ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ଏବଂ କଣାସ ବ୍ଲକର ୨୮ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୩୫୯ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ହେବ । ତିନୋଟି ବ୍ଲକର ୭୪ଟି ଗ୍ରାମ ପଞ୍ଚାୟତର ୯୭୩ଟି ୱାର୍ଡ ଓ ୮ଟି ଜିଲ୍ଲା ପରିଷଦ ଜୋନରେ ମତଦାନ ହେବ । କୃଷ୍ଣପ୍ରସାଦ ବ୍ଲକରେ ୫୬ ଜଣ ସରପଞ୍ଚ, ୪୯ ଜଣ ସମିତି ସଭ୍ୟ, ୩୬୬ ଜଣ ୱାର୍ଡମେମ୍ବର, ୧୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ବ୍ରହ୍ମଗିରି ବ୍ଲକରେ ୯୩ ଜଣ ସରପଞ୍ଚ, ୬୮ ଜଣ ସମିତି ସଭ୍ୟ, ୬୯୭ ଜଣ ୱାର୍ଡମେମ୍ବର, ୧୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ କଣାସ ବ୍ଲକରେ ୯୩ ଜଣ ସରପଞ୍ଚ, ୯୦ ଜଣ ସମିତି ସଭ୍ୟ, ୭୦୩ ଜଣ ୱାର୍ଡମେମ୍ବର, ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ପର୍ଯ୍ୟାୟରେ କୃଷ୍ଣପ୍ରସାଦ ବ୍ଲକରେ ୭୩୫୯୨ ଜଣ ଭୋଟର, ବ୍ରହ୍ମଗିରିରେ ୧୧୫୩୧୨ ଏବଂ କଣାସର ୧୧୯୩୩୭ଙ୍କୁ ମିଶାଇ ମୋଟ ୩୦୮୨୪୧ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତାକାଲି ତଥା ୧୪ ତାରିଖରେ ପୋଲିଂ ପାର୍ଟିମାନେ ସଂପୃକ୍ତ ବ୍ଲକରେ ରିପୋର୍ଟିଂ କରିବା ପରେ ସେମାନଙ୍କ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ବିଶେଷ ଭାବେ କୃଷ୍ଣପ୍ରସାଦର ଚିଲିକା ମଧ୍ୟରେ ଥିବା ୧୪ଟି ପଞ୍ଚାୟତରେ ମତଦାନ ନିମନ୍ତେ ପୋଲିଂ ପାର୍ଟିମାନେ ଯିବା ଆସିବା ପାଇଁ ଭେସେଲ ବ୍ୟବସ୍ଥା କରିବା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ଏଥିସହ ଯନ୍ତ୍ରଚାଳିତ ଦେଶୀ ଡଙ୍ଗା ବ୍ୟବସ୍ଥା କରିବାକୁ କୃଷ୍ଣପ୍ରସାଦ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ସଂପୃକ୍ତ ବ୍ଲକରେ ଭୋଟ ଗଣତି ହେବ ।