ନୂଆଦିଲ୍ଲୀ,୦୩/୦୪: ପାକିସ୍ତାନରେ ରାଜନୈତିକ ଘମାସାନ ମଧ୍ୟରେ ଆଜି (ରବିବାର) ସଂସଦ ଭଙ୍ଗ କରାଯାଇଛି । ବିରୋଧୀ ଦଳଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ସଂସଦକୁ ଭାଙ୍ଗି ଦିଆଯାଇଛି । ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ସଂସଦ ଭଙ୍ଗ କରିବା ପାଇଁ ଇମ୍ରାନ ଖାନ ପ୍ରସ୍ତାବ ଦେଇଥିଲେ । ବାଚସ୍ପତି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିବା ସହିତ ସଂସଦକୁ ଭଙ୍ଗ କରି ଦେଇଥିଲେ । ଏହି ଘଟଣା ପରେ ବିରୋଧୀଙ୍କ ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ସହିତ ଆସନ୍ତା ୩ ମାସ ମଧ୍ୟରେ ନିର୍ବାଚନ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଛି । ବିରୋଧୀ ଦଳର ନେତୃତ୍ୱ ନେଉଥିବା ବିଲାୱାଲ ଭୁଟ୍ଟୋ କିନ୍ତୁ ଏହାକୁ ଅଣ ସାମ୍ବିଧାନିକ କହିଛନ୍ତି । ଭୁଟ୍ଟୋ କହିଛନ୍ତି ଅନାସ୍ଥା ପ୍ରସ୍ତାବ ଖାରଜ କରାଯିବା ନିଷ୍ପତ୍ତି ବିରୋଧରେ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ । ଏହା ସହିତ ଜଣେ ବି ବରୋଧୀ ଦଳ ସଦସ୍ୟ ସଂସଦ ଛାଡିବେ ନାହିଁ ବୋଲି ସେ କହିଛନ୍ତି । ଅପରପକ୍ଷରେ ଇମ୍ରାନ ଖାନ କହିଛନ୍ତି, ଏହି ସମସ୍ତ ଘଟଣା ପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଛି । ଏହା ସହିତ ସେ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାବଲ ଭୁଟ୍ଟୋ ଜାରଦାରୀ କହିଛନ୍ତି ଯେ ଇମ୍ରାନ ସରକାର ସମ୍ବିଧାନର ଧଜିଆ ଉଡ଼ାଇ ଦେଇଛନ୍ତି । ଜାରଦାରୀ କହିଛନ୍ତି ଯେ, ସମଗ୍ର ପାକିସ୍ତାନ ଜାଣିଛି ବିରୋଧୀଙ୍କ ସଂଖ୍ୟା ପୂର୍ଣ୍ଣ ଅଛି ବୋଲି । ଆଜି ଶେଷ ଅବସରରେ ସ୍ପିକର ଏକ ଅସାମ୍ବିଧାନିକ କାର୍ଯ୍ୟ କରିଥିଲେ । ପାକିସ୍ତାନର ସମ୍ବିଧାନ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି । ୟୁନାଇଟେଡ୍ ଆପୋଜିସନ୍ ନିଷ୍ପତ୍ତି ନେଇଛି ଯେ, ଯେବେ ପର୍ଯ୍ୟନ୍ତ ଆମର ସାମ୍ବିଧାନିକ ଅଧିକାର ନପାଇଛୁ ସେ ପର୍ଯ୍ୟନ୍ତ ଆମେ ନ୍ୟାସନାଲ ଆସେମ୍ବଲିରେ ଧାରଣା ଦେବୁ । ଏହା ବ୍ୟତୀତ ଆମର ଓକିଲମାନେ ଆଜି ସୁପ୍ରିମକୋର୍ଟ ଯିବେ ।ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ରାଷ୍ଟ୍ରପତି ଆରିଫ୍ ଅଲ୍ୱିଙ୍କୁ ଭେଟି ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ।