ଉଲଗ୍ନ କରି ଚପଲରେ ପିଟିଲେ

କୁଚିଣ୍ଡା, ୨୧/୦୪ : ସମ୍ବଲପୁରର ଏକ ପ୍ରତିଷ୍ଠିତ ଘରୋଇ ଆବାସିକ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କର କିଛି ସହପାଠୀ ହଷ୍ଟେଲ୍‌ ଭିତରେ ଅମାନୁଷିକ ଅତ୍ୟାଚାର କରିଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ଛାତ୍ରଙ୍କୁ ଉଲଗ୍ନ କରିବା ପରେ ତାଙ୍କ ଗୋଡ଼ ହାତ ବାନ୍ଧି ନିସ୍ତୁକ ପିଟିଥିଲେ ସହପାଠୀ । ଏନେଇ ଅଭିଯୋଗ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ଶୃଙ୍ଖଳା କମିଟଇ ବୈଠକ ଡାକିଥିଲେ । ଘଟଣାରେ ସମ୍ପୃକ୍ତ ୮ ଛାତ୍ରଙ୍କୁ ହଷ୍ଟେଲ୍‌ରୁ ବିଦା କରାଯାଇଥିବା ନେଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ସେପଟେ, ଯେଉଁ ୱାର୍ଡେନ୍‌ ସେହି ସମୟରେ ଡ୍ୟୁଟିରେ ଥିଲେ ତାଙ୍କ ବିରୋଧରେ ବି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟି ନିଷ୍ପତ୍ତି ନେଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଭିଯୋଗ ଅନୁସାରେ, କୁଚିଣ୍ଡାର ଜଣେ ଦଶମ ଶ୍ରେଣୀର ଛାତ୍ର ଏହି ବିଦ୍ୟାଳୟରେ ୩ ବର୍ଷ ହେବ ପାଠ ପଢ଼ୁଛନ୍ତି । ଆବାସିକ ବିଦ୍ୟାଳୟ ହୋଇଥିବାରୁ ସେ ଛାତ୍ରାବାସରେ ରହୁଛନ୍ତି । ତେବେ ଗତ ୧୭ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଛାତ୍ରଜଣଙ୍କ ତାଙ୍କ ରୁମ୍‌ରେ ଥିବା ବେଳେ ୨ ଜଣ ସହପାଠୀ ଆସି ସେଠାରେ ପହଞ୍ଚିଥିଲେ । କିଛି ନକହି ଉକ୍ତ ୨ ଛାତ୍ର ଅଭିଯୋଗକାରୀ ଛାତ୍ରଙ୍କୁ ସେଠାରୁ ଟାଣି ନେଇ ରୁମ୍‌ ନଂ ୨୦୬କୁ ନେଇଥିଲେ । ପ୍ରଥମେ ଏହି ଛାତ୍ରଙ୍କ ୨ ହାତକୁ ଟାଣି ଧରିବା ପରେ ଏକ ଗାମୁଛାରେ ବାନ୍ଧି ଦେଇଥିଲେ । ଏହାପରେ ତାଙ୍କ ପ୍ୟାଣ୍ଟ ଓ ଅନ୍ତଃବସ୍ତ୍ର କାଢ଼ି ତାଙ୍କୁ ଚପଲରେ ନିସ୍ତୁକ ମାଡ଼ ମାରିଥିଲେ । ସବୁଠୁ ଗୁରୁତ୍ୱୂପୂର୍ଣ୍ଣ ପ୍ରସଙ୍ଗ ହେଉଛି ଉକ୍ତ ଛାତ୍ରଙ୍କୁ ଏଭଳି ଆକ୍ରମଣ କରାଯିବାର କାରଣ ବି କେହି ଜାଣିପାରିନଥିଲେ । ବରଂ ଅନ୍ୟ କିଛି ଛାତ୍ର ସେଠାରେ ଉପସ୍ଥିତ ରହି ତମାମ୍‌ ଘଟଣାକୁ ଉପଭୋଗ କରୁଥିଲେ । କିଛି ସମୟ ପରେ ତାଙ୍କୁ ଆକ୍ରମଣ କରୁଥିବା ଛାତ୍ରମାନେ ସେଠାରୁ ଚାଲିଯାଇଥିଲେ । ଏହାପରେ ଏହି ଛାତ୍ରଜଣଙ୍କ ୱାର୍ଡେନ୍‌ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ତେବେ ଅଧ୍ୟକ୍ଷ ଆସୁଛନ୍ତି ଓ ଘଟଣା ସମ୍ପର୍କରେ ଅଭିଯୋଗ ହେବ କହି ୱାର୍ଡେନ୍‌ ବି ପ୍ରସଙ୍ଗରୁ ଏଡ଼ାଇ ଯାଇଥିବା ଅଭିଯୋଗ ହୋଇଛି । ୧୮ ତାରିଖରେ ଛାତ୍ରଜଣଙ୍କ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବି ଏନେଇ ଅବଗତ କରିଥିଲେ । କିନ୍ତୁ ସେ ଘର ଲୋକଙ୍କୁ ଜଣାଇବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା ତାଙ୍କୁ ଅନୁମତି ମିଳିପାରିନଥିଲା । ୧୯ ତାରିଖରେ ପରିବାର ଲୋକେ ସୂଚନା ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଶୃଙ୍ଖଳା କମିଟି ବୈଠକ ଡାକିଥିଲେ । ଛାତ୍ରାବାସରେ ସେହି ସମୟରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଙ୍କୁ ଡାକି ପଚରାଉଚରା ପରେ ତମାମ୍‌ ଘଟଣା ଜଣାପଡ଼ିଥିଲା । ଏହି ସମୟରେ ଯେଉଁମାନେ ଘଟଣାରେ ସାମିଲ୍‌ ଥିଲେ ତଥା ଚୁପ୍‌ ରହି ଘଟଣାକୁ ଉପଭୋଗ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେପଟେ, ଘଟଣା ସମୟରେ ଉପସ୍ଥିତ ଥିବା ୱାର୍ଡେନ୍‌ ଏବେ ଛୁଟିରେ ଥିବାରୁ ଯୋଗଦାନ ପରେ ତାଙ୍କ ବିରୋଧରେ ବି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି ।

-Advertisement-
-Advertisement-

Leave a Reply