କନିକା ପ୍ରସିଦ୍ଧ ପଞ୍ଚୁଦୋଳ ମେଲଣ, ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ


ରାଜକନିକା,୧୫ା୩ : ସୋମବାର ଠାରୁ ରାଜକନିକାର ପ୍ରସିଦ୍ଧ ପଞ୍ଚୁଦୋଳ ମେଲଣ ଆରମ୍ଭ ହୋଇଛି । କାଳିକାପୁର ମେଲଣ ପଡ଼ିଆରେ ଅନୁଷ୍ଠିତ ଏହି ପ୍ରସିଦ୍ଧ ମେଲଣରେ ୫୦ରୁ ଅଧିକ ସୁସର୍ଜ୍ଜିତ ବିମାନରେ ରାଜକନିକାର ଗୋପିନାଥଜୀଉ, ନୃସିଂହନାଥ ଜୀଉ, ଗୋପାଳ ଜୀଉ, ରାଧାକାନ୍ତ ଜୀଉ, ଶିବଲାଲା ଜୀଉ, ରାଧାମୋହନଜୀଉ, ବୃନ୍ଦାବନଜୀଉ, ଗୋପାଳ ନାରାୟଣଜୀଉ, ଲଛମନଜୀଉ,ରାଜଗୁରୁଜୀଉ,କୋଟିବ୍ରହ୍ମାଣ୍ଡଜୀଉ, ରଘୁନାଥଜୀଉ, ରାହାସବିହାରୀ ଜୀଉ, ନନ୍ଦଲାଲ ଜୀଉ, ଗୋପାଳ ଜୀଉ, ଦଧିବାବନ ଜୀଉ, ରାଧାମାଧବ ଜୀଉ, ବିରାଲାଲ ଜୀଉ, ଜୟକୃଷ୍ଣ ଜୀଉ ଏବଂ ପତିତ ପାବନ ଜୀଉ ପ୍ରଭୃତି ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିଙ୍କ ବିମାନ ଗୁଡ଼ିକ ଧାଡ଼ି ଧାଡ଼ି ହୋଇ ମେଲଣ ପଡ଼ିଆକୁ ପ୍ରବେଶ କରିଥିଲେ । ବହୁ ବୟସ୍କ ଭକ୍ତମାନେ ପୁରାତନ ହୋଲି ଗୀତ ଗାଇ ଗାଇ ରାଧାକୃଷ୍ଣଙ୍କ ଭକ୍ତି ନିବେଦନ କରି ପ୍ରେମ ଓ ପ୍ରୀତିର ଏହି ପର୍ବ ପାଳନ ସହିତ ପରସ୍ପର ରଙ୍ଗ ଅବିରରେ ଆଲିଙ୍ଗନ କରି ହୋଲି ଖେଳିବାର ଦୃଶ୍ୟ ଖୁବ୍ ମନୋରମ ରହିଥିଲା । ରାଜକନିକା ଅଂଚଳରେ ଦୀର୍ଘ ୬୦୦ବର୍ଷ ଧରି ଏହି ପରମ୍ପରା ରହିଆସିଛିା ଭେଦଭାବ ଭୁଲି ବିଭିନ୍ନ ଜାତି ଧର୍ମ ଓ ଦଳମତ ନିର୍ବିଶେଷରେ ମେଲଣ ପଡ଼ିଆରେ ଭାତୃଭାବ ପରିଷ୍ଫୁଟ ଘଟିଥିଲା । କାଳିକାପୁର ପଞ୍ଚୁଦୋଳ ମେଲଣ କମିଟି ପକ୍ଷରୁ ଠାକୁରମାନଙ୍କୁ ଚିଳ ଚନ୍ଦନ ସହିତ ପୂଜାଅର୍ଚ୍ଚନା କରିବା ସହିତ ଭୋଗ ଅର୍ପଣ କରିଥିଲେ । କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ରାଧାକୃଷ୍ଣଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଥିଲେ । ଏହି ଅବସରରେ ମେଲଣ କମିଟି ତରଫରୁ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା । ମଙ୍ଗଳବାର ମଧ୍ୟ ଆୟତନ ଠାରେ ମହାଆଡ଼ମ୍ବର ସହକାରେ ମେଲଣ ଉତ୍ସବ ଶେଷ ହୋଇଛି । ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।

-Advertisement-
Melan Rajkanika
-Advertisement-