କିଭରେ ରୁଷ ସୈନ୍ୟଙ୍କ ଗୁଳିମାଡ଼,ଜଣେ ଶିଶୁ ସମେତ ୭ ମୃତ

କିଭ,୧୩/୦୩: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ ।୩ ଥରର ଆଲୋଚନା ବିଫଳ ହୋଇସାରିଛି । ବିଦେଶ କୁଟନୀତି କାମ କରୁ ନାହିଁ । ଶାନ୍ତି ପାଇଁ ସମଗ୍ର ବିଶ୍ୱ ଉଦ୍ୟମ କରୁଥିଲା ବେଳେ ଆଜି ୟୁକ୍ରେନ୍‌ର ରାଜଧାନୀ କିଭ୍ ଉପରେ ରୁଷିଆର ସେନା ବଡ଼ଧରଣର ଆକ୍ରମଣ କରିଛନ୍ତି ।  କିଭରେ ରୁଷ ସୈନ୍ୟଙ୍କ ଦ୍ୱାରା ହୋଇଥିବା ଗୁଳିମାଡ଼ରେ ଜଣେ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗ୍ରୀନ କରିଡରରେ ଆକ୍ରମଣ ହୋଇଥିବା କହିଲା ୟୁକ୍ରେନ । ୬ଟି ରୁଷୀୟ ବିମାନ ନଷ୍ଟ କରିଥିବା ୟୁକ୍ରେନ ଦାବି କରିଛି ।  ଯୁଦ୍ଧ ଆଜି  ୧୮ ଦିନରେ ପହଞ୍ଚିଛି । ୟୁକ୍ରେନ୍‌ର ଦାବି ଯେ, ଖାରସେନରେ ରୁଷିଆର ୨ଟି ହେଲିକପ୍ଟର ଉପରେ ଆକ୍ରମଣ କରିଛି । ଜବାବରେ ରୁଷିଆର ସୈନିକମାନେ କିଭ ଓବ୍ଲାଷ୍ଟରେ ଲଗାତାର ବୋମାମାଡ଼ କରିଛନ୍ତି । ସେହିପରି କିଭର ଗ୍ରୀନ କରିଡର ଉପରେ ରୁଷୀୟ ସୈନିକ ଆକ୍ରମଣ କରିଛନ୍ତି । ଆକ୍ରମଣ ସମୟରେ ମହିଳା ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଉଥିଲା ।  ଉଭୟ ଦେଶ ଶାନ୍ତି ପାଇଁ ପୁଣି ଥରେ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଛନ୍ତି ।   ୟୁକ୍ରେନ୍ ମଧ୍ୟ ରୁଷିଆର ବହୁତ କ୍ଷତି କରିଥିବା ଦାବି କରୁଛି । ଏହାରି ମଧ୍ୟରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭଲୋହିମୀର ଜେଲେନ୍‌ସ୍କି ଜେରୁସେଲମରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କୁ ଭେଟିବାକୁ ପ୍ରସ୍ତାବ ରଖିଛନ୍ତି । ଜେଲେନ୍‌ସ୍କି କହିଛନ୍ତି ଯେ, ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟଙ୍କୁ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିବାକୁ ଅପିଲ କରିଛନ୍ତି ।

-Advertisement-
-Advertisement-