ଭୁବନେଶ୍ୱର,୦୯/୦୪: ଚୈତ୍ର ମାସ ଶୁକ୍ଲପକ୍ଷ ବିଳମ୍ବିତ ରାତିର ପବିତ୍ର ମୁହୂର୍ତ୍ତରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ପ୍ରସିଦ୍ଧ ମରିଚି କୁଣ୍ଡର ଜଳର ନିଲାମ ହୋଇଛି । ମରିଚିକୁଣ୍ଡ ଜଳ ପ୍ରଭୁ ଶିବଙ୍କ କୃପାରେ ପରିପୂର୍ଣ୍ଣ ବୋଲି ବିଶ୍ୱାସ ରହିଛି । ନେତ ଉତ୍ସବର ଶୁଭ ମୁହୂର୍ତ୍ତରେ କୁଣ୍ଡ ଜଳରେ ଠାକୁରଙ୍କ ଶକ୍ତି ଉଜ୍ଜିବୀତ ହୋଇଉଠେ । ଏହି ସମୟରେ କୁଣ୍ଡର ପବିତ୍ର ଜଳରେ ନିସନ୍ତାନ ନାରୀ ସ୍ନାନ କଲେ ନିଶ୍ଚିତ ସନ୍ତାନପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଭୁବନେଶ୍ୱର ୟୁନିଟ୍-୫ ପ୍ରଗତି ନଗରର ଜଣେ ନିସନ୍ତାନ ଦମ୍ପତି ପବିତ୍ର ଜଳ ଭର୍ତ୍ତି ପ୍ରଥମ କଳସୀକୁ ୧ଲକ୍ଷ ୩୦ ହଜାର ଟଙ୍କାରେ କିଣିଛନ୍ତି । ଶ୍ରୀଲିଙ୍ଗରାଜ ସେବାୟତ ସଂଘ ବଡ଼ୁ ନିଯୋଗ ପକ୍ଷରୁ ପ୍ରତିବର୍ଷ ଏହି ପବିତ୍ର ଜଳ ନିଲାମ କରାଯାଏ । କୋଭିଡ୍ କଟକଣା ଯୋଗୁ ୨ ବର୍ଷ ହେବ ଏହି ନିଲାମରେ ବାଧା ସୃଷ୍ଟି ହୋଇଥିଲା । ଚଳିତ ବର୍ଷ କଟକଣା ନଥିବାରୁ ନିଲାମରେ ଭାଗ ନେବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ଦମ୍ପତି ଆସିଥିଲେ । ରଥ ପ୍ରତିଷ୍ଠା ପାଇଁ କୁଣ୍ଡରୁ ପବିତ୍ର ଜଳ ଉତ୍ତୋଳିତ ହେବା ପରେ ରାତି ପ୍ରାୟ ସାଢ଼େ ୧୨ରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ନିଲାମ ଡାକ ହୋଇଥିଲା । ପ୍ରଗତି ନଗରର ଦମ୍ପତି ପ୍ରଥମ କଳସୀ ୧ଲକ୍ଷ ୩୦ ହଜାରରେ ନେଇଥିବାବେଳେ ଦ୍ୱିତୀୟ କଳସୀ ଜଳ ଭୁବନେଶ୍ୱର ଉପକଣ୍ଠ ବାହାଦଲପୁରର ଅନ୍ୟ ଏକ ଦମ୍ପତି ୪୭ ହଜାର ଟଙ୍କାରେ ନିଲାମ ନେଇଥିଲେ । ଉପସ୍ଥିତ ଅନ୍ୟ ଦମ୍ପତିଗଣ ପର୍ଯ୍ୟାୟକ୍ରମେ ଜଳ ଭର୍ତ୍ତି କଳସୀ ନିର୍ଦ୍ଦିଷ୍ଟ ଦର ଦେଇ କିଣିଥିଲେ ।