ପୁରୀ-୧.୨.୨୦୨୨: ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ମୁଖ୍ୟ(Master) ତାଲିମ ପ୍ରଦାନ କରାଯାଇଛି । ଉକ୍ତ ଅଧିକାରୀ ମାନେ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ଦେବା ପରେ ସେମାନେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିବେ । ଏଥିନିମନ୍ତେ ବ୍ଲକ ସ୍ତରୀୟ ଅଧିକାରୀ ବିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଆସନ୍ତା ୩ ଓ ୪ ତାରିଖରେ ଜିଲ୍ଲାସ୍ତରୀୟ ତାଲିମ ପ୍ରଦାନକାରୀ ମାନେ ତାଲିମ ଦେବେ । ଏହାପରେ ଆସନ୍ତା ୬ ଓ ୭ ତାରିଖରେ ସଂପୃକ୍ତ ବ୍ଲକ ସ୍ତରରେ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୬ ତାରିଖରେ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ମତଦାନ ହେବ । ଉକ୍ତ ନିର୍ବାଚନ ସହ ସଂପୃକ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଧିକାରୀ ଓ କର୍ମଚାରୀ ମାନଙ୍କୁ କରୋନା ବୁଷ୍ଟର ଡୋଜ ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । ଏଥିନିମନ୍ତେ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀ, ମେଡିକାଲ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ନିର୍ଦ୍ଦେଶନାମା ପାଳନ କରି ମତଦାନ ଅନୁଷ୍ଠିତ ହେବ । ପୋଲିଂ ଦଳ ମତଦାନର ଦୁଇ ଦିନ ପୂର୍ବରୁ ସଂପୃକ୍ତ କେନ୍ଦ୍ରରେ ପହଞ୍ଚିବେ । ଏଥିସହ ସଂପୃକ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ମତଦାନ କେନ୍ଦ୍ରରେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ବ୍ଲକ ଶିକ୍ଷାଧିକାରୀ ଓ ସିଡିପିଓ ମାନଙ୍କୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ୩୮୦୪ ଟି ମତଦାନ କେନ୍ଦ୍ର ରହିଛି ଏବଂ ୬ ହଜାର ଅଧିକାରୀ ଓ କର୍ମଚାରୀ ନିୟୋଜିତ ରହିବେ । ଆବଶ୍ୟକୀୟ ବାଲାଟ ବକ୍ସ, ବାଲାଟ ପେପର, ଅନ୍ୟାନ୍ୟ ସାମଗ୍ରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସାରିଛି ।
ଆଜିର ମୁଖ୍ୟ ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ତହସିଲଦାର ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ବିଶ୍ବନାଥ ପଣ୍ତା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ପାଣିଗ୍ରାହୀ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମମତା ମିଶ୍ର, ବ୍ଲକ ଶିକ୍ଷାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।