ପଶ୍ଚିମା-ଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩/୨ :  ଆଜି ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା ରହିଛି । ଆଫଗାନିସ୍ଥାନ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ ୨୪ରୁ ବର୍ଷା ଆରମ୍ଭ ହେବ । ସେହିପରି ୨୫ରେ ପଶ୍ଚିମ-ହିମାଳୟ ଅଞ୍ଚଳରେ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ଼ । ଯାହାର ପ୍ରଭାବରେ ୨୫ରେ ରାଜ୍ୟରେ ବର୍ଷା ବଢ଼ିବ  ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌. ଆର୍‌ ବିଶ୍ୱାସ କହିଛନ୍ତି, ୨୪ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ । ୨୫ ତାରିଖରେ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ  ବିଜୁଳି ଓ ଘଡ଼ଘଡି ମାରିବାର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

-Advertisement-
-Advertisement-