ଭୁବନେଶ୍ୱର, ୦୩।୦୪ : ରାଜ୍ୟରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ଅଦଳବଦଳ ହେବା ପରେ ଏବେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ସ୍ତରରେ ଅଦଳବଦଳ କରାଯାଇଛି । ଏହି କ୍ରମରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବୀର ବିକ୍ରମ ଯାଦବ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଏହି ପଦଟି ଖାଲି ପଡ଼ିଥିଲା । ବୀର ବିକ୍ରମ ଏଣିକି ମୁଖ୍ୟ ପ୍ରଶାସକ ସହ ଖାଦ୍ୟ ଓ ଯୋଗାଣ ବିଭାଗର ଦାୟିତ୍ୱ ସମ୍ଭାଳିବେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିଥିବା ଡ. ନିକୁଞ୍ଜ କିଶୋର ସୁନ୍ଦରାୟ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ନିକୁଞ୍ଜ ଦାୟିତ୍ୱ ନେବା ପରେ ଅତିରିକ୍ତ ଶାସନ ସଚିବ ଡ. ମୋନା ଶର୍ମାଙ୍କୁ ଏହି ବିଭାଗରୁ ଅବ୍ୟାହତି ଦିଆଯିବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର ଚଡ୍ଡାଙ୍କୁ ସମବାୟ ବିଭାଗର ସଚିବ, କୃଷି ବିପଣନ ନିର୍ଦ୍ଦେଶକ, ଓଡ଼ିଶା ଷ୍ଟେଟ୍ ଏଗ୍ରିକଲଚରାଲ୍ ମାର୍କେଟିଂ ବୋର୍ଡର ସଦସ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଲଘୁ ଖଣି ନିର୍ଦ୍ଦେଶକ ଶୁଭମ ସାକ୍ସେନାଙ୍କୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କୁ ଲଘୁ ଖଣି ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛ । ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି ।