ବୁଦ୍ଧ ଈଶ୍ଵରଙ୍କ ସ୍ଥିତି ସଂପର୍କରେ ନୀରବ ଥିଲେ। ଆତ୍ମା ବା ଈଶ୍ଵର ଅଛନ୍ତି କି ନା ସେ କିଛି କହି ନଥିଲେ। ନିରଞ୍ଜନା ନଦୀତଟରେ ସେ ନିର୍ବାଣ ପ୍ରାପ୍ତ ହେଇଥିଲେ। ନିର୍ବାଣ କ’ଣ ବୋଲି ଶିଷ୍ୟମାନଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ନୀରବ ରହିଥିଲେ। ଆଜି ବୁଦ୍ଧ ଭଗବାନଙ୍କ ନବମ ଅବତାର ରୂପେ ପୂଜିତ। ନିରଞ୍ଜନା ତଟରେ ସିଦ୍ଧି ପ୍ରାପ୍ତି ବେଳେ ସେ ଭୂମିକୁ ଛୁଇଁ ସାକ୍ଷୀ ରଖିଥିଲେ, ଯାହାର ମୂର୍ତ୍ତିମନ୍ତ ରୂପ ହେଉଛି ଭୂମିସ୍ପର୍ଶ ମୁଦ୍ରା । ଅଥଚ କ’ଣ ଅନୁଭବ କରି ସେ ନିର୍ବାଣ ଲାଭ କଲେ ବୋଲି କହିବାକୁ ଅସମର୍ଥ ହୋଇ ନୀରବ ରହିଥିଲେ। ସ୍ଵୟଂ ଅବତାର ନିଜେ ଈଶ୍ଵରଙ୍କ ପରମ ଆଧ୍ୟାତ୍ମିକ ସ୍ଵରୂପ ବଖାଣିବାରେ ଯେଉଁଠି ଅସମର୍ଥ, ସାଧାରଣ ମଣିଷ ସେହି ତତ୍ତ୍ଵ ବଖାଣି ଜନ ମାନସକୁ ହୃଦବୋଧ କରାଇ ଜାଗ୍ରତ ଅବସ୍ଥାକୁ ଆଣିବା ଯେ କେତେ ଦୁଃସାଧ୍ୟ ବ୍ୟାପାର ତାହା ଯେ କୌଣସି ଚେତନଶୀଳ ମଣିଷ ହୃଦୟଙ୍ଗମ କରିପାରିବ।
ଏଥିପାଇଁ କଠ ଉପନିଷଦ (୧:୨:୭) କହିଛନ୍ତି, ଏହି ତତ୍ତ୍ଵ ଶୁଣିବାକୁ ବହୁଳ ଦୁର୍ଲ୍ଲଭ। ଶୁଣି ଶୁଣି ମଧ୍ୟ ବହୁଳ ଏହାକୁ ଜାଣିପାରନ୍ତି ନାହିଁ। ଯେଉଁ ପୁରୁଷ ଜ୍ଞାନ ବଳରେ ଏହାକୁ ବୁଝାଇବାକୁ ଉଦ୍ୟମ କରନ୍ତି ( ‘ଆଶ୍ଚର୍ଯ୍ୟୋ ବକ୍ତା କୁଶଳୋ ଅସ୍ୟ ଲବ୍ଧା’) ସେ ହେଉଛନ୍ତି ଆଶ୍ଚର୍ଯ୍ୟମୟ। ଯେଉଁ ମଣିଷ ଏହା ଶୁଣି ଜ୍ଞାନ ଲାଭ କରେ ( ‘ଆଶ୍ଚର୍ଯ୍ୟୋ ଜ୍ଞାତା କୁଶଳାନୁଶିଷ୍ଟଃ’ ) ସେ ମଧ୍ୟ ଆଶ୍ଚର୍ଯ୍ୟମୟ।
ଉପନିଷଦ ହେଉଛି ସନାତନ ଚେତନାର ପ୍ରାଣକେନ୍ଦ୍ର। ବକ୍ତା ଓ ଶ୍ରୋତାଙ୍କ ମଧ୍ୟରେ ଏହି ‘ଆଶ୍ଚର୍ଯ୍ୟମୟ’ ତଥ୍ୟଟିକୁ ବିଶ୍ଳେଷଣ କରି ଈଶ୍ଵରଙ୍କୁ ଆବିଷ୍କାର କରିବାର ସମୟ ଓ ପରିବେଶ କେବେ ଆସିବ ତାହା ଭଗବାନଙ୍କ ଇଛା ଉପରେ ନିର୍ଭର କରେ।