ପୁରୀ୨୩।୨: ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ ଅଭିଯୋଗରେ ସିବିଆଇ ନିକଟରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା । ଏତଲା ଦେଇ ସେନା କହିଛି ଯେ, ଆଇନ ଅନୁସାରେ ପ୍ରତି ୩ ବର୍ଷରେ ଥରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ ହେବା କଥା । କିନ୍ତୁ ୧୯୭୮ ମସିହା ପରେ ୪୪ ବର୍ଷ ହେଲା ରତ୍ନଭଣ୍ଡାର ଯାଞ୍ଚ ହୋଇନି । ରତ୍ନଭଣ୍ଡାର ଚାବି ଓ ଯାଞ୍ଚ ନେଇ ବିଧାନସଭାରେ ମନ୍ତ୍ରୀ, ତତ୍କାଳୀନ ଜିଲ୍ଲାପାଳ, ଟ୍ରେଜେରି ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଛି । ଏମିତିକି ଆରଟିଆଇରେ ଟ୍ରେଜେରି ପାଖରେ କୌଣସି ଚାବି ନଥିବା ମଧ୍ୟ କୁହାଯାଇଛି । ସରକାର ଓଡ଼ିଆ ଲୋକଙ୍କୁ କେବଳ ଭୁଆଁ ବୁଲାଉଛନ୍ତି ବୋଲି କହିଛି ଶ୍ରୀଜଗନ୍ନାଥ ସେନା ।ଅନ୍ୟପକ୍ଷରେ ୨୦୦୯ ମସିହା ଫେବ୍ରୁଆରି ୧୪ ତାରିଖ ରାତି ସାଢ଼େ ଗୋଟାଏ ବେଳେ ଶ୍ରୀମନ୍ଦିର ପ୍ରଶାସକ ଓ ପୁଲିସ ସମେତ ୧୦ଜଣଙ୍କ ଉପସ୍ଥିତିରେ ଭୁବନେଶ୍ୱରକୁ ମରାମତି ଲାଗି ଯାଉଥିବା ବାହାନାରେ ରତ୍ନଭଣ୍ଡାର ଲୁଟ କରାଯାଇଥିବା ନେଇ ସ୍ୱଚକ୍ଷୁରେ ଦେଖିଛି ଓ ତଦନ୍ତ ହେଲେ ପ୍ରମାଣ ଦେବି ବୋଲି ଏତଲାରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ ଅଭିଯୋଗରେ ସିବିଆଇରେ ଏତଲା ଉଲ୍ଲେଖ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଯଦି ସିବିଆଇ କିଛି ନକରେ ଆଗକୁ ସେନା ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ । ମରିବା ଯାଏ ସେନା ଏ ନେଇ ଲଢେ଼ଇ କରିବ ବୋଲି ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।