ମହାପ୍ରଭୁ ଶ୍ରୀଲୋକନାଥଙ୍କ ମନ୍ଦିରରେ ଜଳିବ ଜଗତମଙ୍ଗଳ ଦୀପ 

ପୁରୀ ୨୭।୦୨:  ପ୍ରସିଦ୍ଧ ଶୈବ ପୀଠ ବାବା ଲୋକନାଥଙ୍କ ମନ୍ଦିରରେ ପାଳିତ ପଙ୍କୋଦ୍ଧାର ପର୍ବ । ଏହି ଦିନ ଠାକୁରଙ୍କ ଶ୍ରୀଅଙ୍ଗରେ ବର୍ଷ ତମାମ ଜମି ରହିଥିବା ପାଦୁକ ବାହାରକୁ କଢାଯାଇଥାଏ । ବର୍ଷକେ ଏହି ଦିନରେ କେବଳ ଭକ୍ତମାନେ ଶିବଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ଲଭିଥାନ୍ତି । ଉକ୍ତ ଦିନର ନୀତି ନିର୍ଘଣ୍ଟ ଅନୁସାରେ ମଧ୍ୟାହ୍ନ ୧୨ଟାରୁ ରାତି ୯ଟା ମଧ୍ୟରେ ଠାକୁରଙ୍କ ଦର୍ଶନ ମିଳିବ । କୁହାଯାଏ ଲୋକନାଥଙ୍କ ପୀଠରେ ଏଭଳି ନୀତି ସାରା ଭାରତରେ ବିରଳ ।ମହାପ୍ରଭୁ ଶ୍ରୀଲୋକନାଥଙ୍କ ମନ୍ଦିରରେ ଜଳିବ ବିରାଟ ଜଗତମଙ୍ଗଳ ଦୀପ । ୭ ଫୁଟ ଲମ୍ବା, ୪ ଫୁଟ ଚଉଡ଼ା ଓ ୨ ଫୁଟ ଗଭୀର ଏହି ଦୀପ । ୫୦୦ ଫୁଟ ଲମ୍ବା ଓ ୧୦ ଇଞ୍ଚ ମୋଟେଇ ସଳିତା ଏହି ଦୀପରେ ପଡ଼ିବ । ଯାହା ଜାଗର ପରଦିନ ସକାଳ ପର୍ଯ୍ୟନ୍ତ ଜଳିବ । ଦୀପରେ ପଡ଼ିବ ୪୫ ଟିଣ ଶୁଦ୍ଧ ଘିଅ । ୧୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ଏହି ଜଗତମଙ୍ଗଳ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ । ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠ ପରିସରରେ ଥିବା ପାର୍ବତୀ ସାଗର ପୁଷ୍କରିଣୀ ଉପରେ ବନ୍ଧା ଯାଇଥିବା ବିରାଟ ମଞ୍ଚା ଉପରେ ଏହି ଦୀପକୁ ସ୍ଥାପନ କରାଯାଇଛି । ବିଶ୍ୱର ମଙ୍ଗଳ ନିମନ୍ତେ ପ୍ରତିବର୍ଷ ଏହି ଦୀପ ଜାଳିଆସୁଛନ୍ତି ପୁରୀ ବାସେଳୀ ସାହି ଲୋକନାଥ ରୋଡ ଗଦାଧର ହାଇସ୍କୁଲ ନିକଟ ବାସିନ୍ଦା ସାମାଜିକ କର୍ମୀ ରାମକୃଷ୍ଣ ହୋତା । ଚଳିତ ବର୍ଷ କରୋନାରୁ ମୁକ୍ତି, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସମସ୍ତଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ଶ୍ରୀ ହୋତା ଏହି ଦୀପ ଶ୍ରୀଲୋକନାଥ ମହାପ୍ରଭୁଙ୍କ ଆଗରେ ବସାଇଥିବା କହିଛନ୍ତି ।

-Advertisement-
-Advertisement-