ନୂଆଦିଲ୍ଲୀ ୦୩/୦୩: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ରୁଷ ଏବେସୁଦ୍ଧା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ମିଳିତ ଜାତିସଂଘର ମହାସଭାରେ ୟୁକ୍ରେନରୁ ରୁଷ ସେନା ପ୍ରତ୍ୟାହାର ପ୍ରସ୍ତାବ ପାରିତ କରାଯାଇଛି । ଏହା ଭିତରେ ଦୁଇ ଦେଶ ମଧ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ କଥାବାର୍ତ୍ତା ହେବ । ତେବେ ରାଜଧାନୀ କିଭ୍ ର ଚାରିପଟରୁ ରୁଷ ସେନା ଘେରିଯାଇଛନ୍ତି । ରୁଷ ସେନା ଏବେ ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ଆଡକୁ ବଢ଼ିବାରେ ଲାଗିଛି । ଉଭୟ ଦେଶର ଶହଶହ ଯବାନ ପ୍ରାଣ ହରାଇଛନ୍ତି । ପୂର୍ବରୁ କିଛି କ୍ଷୟକ୍ଷତି ହୋଇନଥିବା ଋଷ ଏବେ ନିଜର ସୈନ୍ୟଙ୍କୁ ନେଇ ବଡ ପ୍ରତିକ୍ରିୟା ଦେଇଛି । ସେନେଇ ଭ୍ଲାଦିମିର ପୁଟିନଙ୍କ ଅଧିକାରୀ ସୂଚନା ଦେଇଛନ୍ତି । କ୍ରେମଲିନର କହିବାନୁସାରେ, ଏବେସୁଦ୍ଧା ୪୯୮ ସୈନ୍ୟ ପ୍ରାଣ ହରାଇଛନ୍ତି । ୧୬୦୦ରୁ ଅଧିକ ଆହତ ହୋଇଛନ୍ତି । ରୁଷ ୟୁକ୍ରେନର ମୁଖ୍ୟ ରେଳ ଷ୍ଟେସନ୍ ଉପରେ ରକେଟ୍ ମାଡ କରିଛି । ଏବେ ରୁଷ ଟାର୍ଗେଟରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ବିଲ୍ଡିଂ ରହିଛି । ରୁଷିଆ ଗୋଟିଏ ପରେ ଗୋଟିଏ ସହରକୁ ନିଜର ଅକ୍ତିଆରକୁ ନେଉଛି । ଖେରସନ ସହରକୁ ନିଜର ଅଧିନକୁ ଆଣିଛି । ୟୁକ୍ରେନ୍ କିନ୍ତୁ ଦାବି କରିଛି ଯେ, ମାର୍ଚ୍ଚ ୨ ତାରିଖରେ ରୁଷିଆର ୩ଟି ବିମାନ ଓ ୨ଟି ହେଲିକପ୍ଟର ଉପରେ ଆକ୍ରମଣ କରାଯାଇ ଖସାଇ ଦିଆଯାଇଛି ।
-Advertisement-
-Advertisement-