ନୂଆଦିଲ୍ଲୀ,୩/୩:ଆଜି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ରେଲୱେ ଇତିହାସରେ ସର୍ବାଧିକ ଅନୁଦାନ ଏଥର ଓଡ଼ିଶାକୁ ଦିଆଯାଇଛି। ଯାହାକି ୟୁପିଏ ସରକାର ଅମଳରେ ମିଳିଥିବା ଅନୁଦାନଠାରୁ ୧୦ ଗୁଣା ଅଧିକ ବୋଲି ମନ୍ତ୍ରୀ କହିଛନ୍ତି । ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୮ କୋଟି ଅନୁଦାନ ମିଳିଥିଲା। ମୋଦି ସରକାର ଆସିବାପରେ ୨୦୧୪ରୁ ୧୯ ପର୍ଯ୍ୟନ୍ତ ବର୍ଷକୁ ହରାହାରି ୪, ୧୨୬ କୋଟି ଦେଲେ । ଏଥର ରେଳ ବଜେଟ୍ରେ ଓଡ଼ିଶାକୁ ଇତିହାସରେ ସବୁଠୁ ଅଧିକ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶାକୁ ଏଥର ମିଳିଛି ୯ ହଜାର ୭୩୪ କୋଟି, ଯାହାକି ୟୁପିଏ ତୁଳନାରେ ୧୦ ଗୁଣ ଅଧିକ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରାଜ୍ୟ ସରକାର ୭ହଜାର ୬ଶହ କୋଟି ଅନୁଦାନ ଦାବି କରିଥିବା ବେଳେ କେନ୍ଦ୍ର ଦେଇଛି ୯, ୭୩୪ କୋଟି ଟଙ୍କା। ୨୦୧୯-୨୦ରେ ୪, ୫୬୮ କୋଟି, ୨୦-୨୧ରେ ୫, ୨୯୬ କୋଟି, ୨୧-୨୨ରେ ୬, ୪୭୧ କୋଟି ଟଙ୍କା ଦିଆଯାଇଥିଲା। କଳହାଣ୍ଡି ରେଳ ଓ୍ୱାଗନ ଫ୍ୟାକ୍ଟ୍ରି ସଂପର୍କରେ ଅଶ୍ୱିନୀ କହିଛନ୍ତି ଏହି ପ୍ରକଳ୍ପ ଲାଗି ୫୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି। ରାଜ୍ୟ ସରକାର ବଳକା ଜମି ଯୋଗାଇ ଦେଲେ କାମ ଆରମ୍ଭ ହେବ। ସେ ଆହୁରି ମଧ୍ୟ କହିଛନ୍ତି, ଇଚ୍ଛାଶକ୍ତି, ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିୟରାନ୍ ଓ ଅନୁଦାନ ମିଳିଲେ ପ୍ରକଳ୍ପ କାମ ଆଗେଇଥାଏ । ରାଜ୍ୟ ସରକାରଙ୍କ ସହଯୋଗ ବଢ଼ିଲେ ରେଲୱେ କ୍ଷେତ୍ରରେ ଦ୍ରୁତ ବିକାଶ ହୋଇପାରିବ। ସେହିପରି ବଜେଟ୍ରେ ଘୋଷଣା ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ଓଡ଼ିଶାରେ ଚାଲିବ। ତାସହ ଓଡ଼ିଶାର ସବୁ ଷ୍ଟେସନକୁ ପର୍ଯ୍ୟାୟ କ୍ରମେ ବିକାଶ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି।