ଶର୍ମିଷ୍ଠାଙ୍କୁ ଧରିବାକୁ ରାଜ୍ୟ ବାହାରକୁ ଗଲା କ୍ରାଇମ୍‌ବ୍ରାଞ୍ଚ୍ ଟିମ୍

ଭୁବନେଶ୍ଵର, ୨୪/୦୩ :କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାରେ  ମୁଖ୍ୟ ଖଳନାୟିକା ଶର୍ମିଷ୍ଠା ରାଉତଙ୍କୁ ଠାବ କରିବାରେ ପୁଲିସ ବିଫଳ ହୋଇଛି । ତେଣୁ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଭଦ୍ରକ ଏସ୍‌ପି ଅଫିସ୍‌ରେ ପହଞ୍ଚିଲେ କ୍ରାଇମ୍‌ବ୍ରାଞ୍ଚ୍ ଟିମ୍। କ୍ରାଇମ୍‌ବ୍ରାଞ୍ଚ୍ ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ଵରେ ୫ ଜଣିଆ ଟିମ୍ ଚାନ୍ଦବାଲିରେ ତଦନ୍ତ କରୁଛନ୍ତି।ମାନସ ସ୍ୱାଇଁ ହତ୍ୟାର ତଦନ୍ତ ଓ ଫେରାର ଶର୍ମିଷ୍ଠାଙ୍କୁ ଖୋଜି ବାହାର କରିବାକୁ କ୍ରାଇମବ୍ରାଞ୍ଚର ୨ଟି ଟିମ୍‌ ଗଠନ କରାଯାଇଛି । ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଉଭୟ ଟିମ୍‌ରେ ୯ ଜଣ ଅଫିସର ରହିଛନ୍ତି । ରାଜ୍ୟ ବାହାରେ ଶର୍ମିଷ୍ଠା ଥିବା ଅନୁମାନ କରାଯାଉଥିବାରୁ ଏକ ୪ ଜଣିଆ ଟିମ୍‌ ତାଙ୍କୁ ଖୋଜି ବାହାର କରିବେ । ୫ ଜଣ ଅଫିସରଙ୍କୁ ନେଇ ଗଠିତ ଅନ୍ୟ ଏକ ଟିମ୍‌ ହତ୍ୟା ସମ୍ପର୍କରେ ତଥ୍ୟ ପ୍ରମାଣ ଯୋଗାଡ଼ ସକାଶେ ଭୁବନେଶ୍ୱର, ନୟାଗଡ଼ ଏବଂ ଭଦ୍ରକରେ ତଦନ୍ତ କରିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । ତଦନ୍ତ ଭାର ନେଲା ପରେ ଏକ ଟିମ୍‌ ଚାନ୍ଦବାଲି ଥାନା ପୁଲିସ୍‌ ଠାରୁ ତଥ୍ୟ ପ୍ରମାଣ, ଗିରଫ ଅଭିଯୁକ୍ତଙ୍କର ବୟାନ ରେକର୍ଡ, ସାଇଣ୍ଟିଫିକ୍‌ ଟିମ୍‌ ରିପୋର୍ଟ, ପୋଷ୍ଟମର୍ଟମ୍‌ ରିପୋର୍ଟ ଆଦି ନିଜ ହେପାଜତକୁ ନେଇଛନ୍ତି ।