ପୁରୀ,୦୫/୦୨: ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଆଗାମୀ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ। ସରସ୍ୱତୀ ପୂଜାରେ ରଥ ନିର୍ମାଣର ଏହା ପାରମ୍ପରିକ ବିଧି ରହିଛି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖସ୍ଥ ବଡ଼ଦାଣ୍ଡ ରଥଖଳାରେ ୩ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହେବ । ପ୍ରଥମେ ଚୁନପାଣି ପଡ଼ି ରଥଖଳାକୁ ପବିତ୍ର କରାଯିବ । କାଠ ୩ଟିର ମାଜଣା କରାଯିବ । ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତ ବିଧିମତେ କାଠ ତ୍ରୟର ପୂଜାର୍ଚ୍ଚନା କରିବେ । ଏଥିରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ପାଇଁ ଗୁଜ ଅନୁକୂଳ କରାଯିବ । ପବିତ୍ର ଶ୍ରୀପଞ୍ଚମୀରୁ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହେଉଥିବା କୁହାଯାଏ । ରଥ ନିର୍ମାଣକ୍ରମରେ ଆସନ୍ତା ରାମନବମୀରେ ରଥକାଠ ଚିରଟ ଓ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବ ।
-Advertisement-
-Advertisement-