ନୂଆଦିଲ୍ଲୀ,୩୦/ ୦୪ : ଆଜି ଭାରତର ନୂତନ ସେନାମୁଖ୍ୟ ଭାବେ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ମନୋଜ ପାଣ୍ଡେ ବିଦାୟୀ ସେନାମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନରୱଣେଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଜେନେରାଲ ପାଣ୍ଡେ ଏପରି ସମୟରେ ସ୍ଥଳ ସେନାର ଦାୟିତ୍ୱ ଗ୍ରହଣ କରିଛନ୍ତି ଯେଉଁ ସମୟରେ ପଡ଼ୋଶୀ ଚୀନ ସହିତ ଭାରତର ସୀମାରେ ସମସ୍ୟା ଲାଗି ରହିଛି । ସ୍ଥଳସେନା ମୂଖ୍ୟ ଭାବରେ ତାଙ୍କୁ ଥିଏଟର କମାଣ୍ଡର ଗଠନ କରିବା ଲାଗି ତାଙ୍କୁ ବାୟୁସେନା ଏବଂ ନୌସେନା ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ । ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଜେନେରାରଲ ବିପିନ୍ ରାୱତ ଥିଏଟର କମାଣ୍ଡର ଭାବରେ ଦାୟିତ୍ୱ ତୁଲାଉଥିଲେ । ଗତବର୍ଷ ଡିସେମ୍ବର ମାସରେ ହେଲିକାପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସରକାର ଏପର୍ଯ୍ୟନ୍ତ ନୂତନ ପ୍ରତିରକ୍ଷା ମୁଖ୍ୟ କର୍ମଚାରୀ ନିଯୁକ୍ତି କରି ନାହାନ୍ତି । ଜେନେରାଲ ପାଣ୍ଡେ ତାଙ୍କ କ୍ୟାରିୟରରେ ଆଣ୍ଡାମାନ ନିକୋବର ଅଞ୍ଚଳର ସେନା ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ଆଣ୍ଡାମାନରେ ତିନି ସେନାର ଜଣେ ମାତ୍ର ମୁଖ୍ୟ ରହିଥାନ୍ତି । ପାଣ୍ଡେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ନିଜର ଟ୍ରେନିଂ ସାରି ୧୯୮୨ରେ କୋର ଅଫ ଇଞ୍ଜିନିୟର୍ସ( ଦି ବମ୍ବେ ସେପର୍ସ)ରେ ଯୋଗ ଦେଇଥିଲେ । ତାଙ୍କର ଲମ୍ବା କ୍ୟାରୀୟରରେ ସେ ବିଭିନ୍ନ ପଦବୀରେ ଦାୟିତ୍ୱ ତୁଲାଇଛନ୍ତି ଏବଂ କିଛି ସ୍ଥାନରେ ସିଧାସଳଖ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି । ଜମ୍ମୁ କାଶ୍ମୀରରେ ଅପରେଶନ ପରାକ୍ରମ ସମୟରେ ସୀମା ନିକଟରେ ଏକ ଇଞ୍ଜିନିୟର ରେଜିମେଣ୍ଟର କମାଣ୍ଡର ଥିଲେ । ଏହା ସହିତ ସେ ଲଦାଖରେ ପର୍ବତୀୟ ଡିଭିଜନ ଏବଂ ପୁର୍ବତ୍ତରରେ ଏକ କୋରର କମାଣ୍ଡର ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।
-Advertisement-
-Advertisement-