ନୂଆଦିଲ୍ଲୀ ,୦୬/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍-ରୁଷିଆ ବିବାଦ ଉପରେ ଶନିବାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକରେ ଅପରେଶନ ଗଙ୍ଗାର ସଫଳତା ନେଇ ଅବଗତ ହୋଇଛନ୍ତି । କେନ୍ଦ୍ର ସରକାର ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ଲାଗି ପ୍ରୟାସରତ, ଯେଉଁମାନେ ୟୁକ୍ରେନ୍ରେ ରୁଷିଆର ଆକ୍ରମଣ ପରେ ଫେରିଆସିବାକୁ ଚାହୁଁଛନ୍ତି । ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ତାଙ୍କର କ୍ୟାବିନେଟ ସହଯୋଗୀ ପୀୟୂଷ ଗୋୟଲ ବ୍ୟତୀତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଭାରତ ନିଜର ନାଗରିକଙ୍କୁ ଉଦ୍ଧାର କରିବା ଲାଗି ନିଜର ଅଭିଯାନ ‘ଅପରେଶନ ଗଙ୍ଗା’ ଆରମ୍ଭ କରିଛି । ଏଥି ପାଇଁ କେନ୍ଦ୍ର ସରକାର ୪ ଜଣ ମନ୍ତ୍ରୀଙ୍କୁ ୟୁକ୍ରେନ୍ର ପଡୋଶୀ ଦେଶକୁ ପଠାଇଛନ୍ତି । ସ୍ୱତନ୍ତ୍ର ବିମାନ ଜରିଆରେ ଶନିବାର ୩ ହଜାର ଭାରତୀୟଙ୍କୁ ୟୁକ୍ରେନରୁ ଫେରାଇ ଅଣାଯାଇଛି । ଏହି ଲୋକମାନେ ୟୁକ୍ରେନର ପଡୋଶୀ ଦେଶରୁ ଏୟାରଲିଫ୍ଟ କରି ଭାରତ ଆସିବାକୁ ଥିବା ସ୍ୱତନ୍ତ୍ର ବିମାନରେ ଆସିଛନ୍ତି । ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ବିମାନ ଜରିଆରେ ମୋଟ ୧୩ ହଜାର ୭୦୦ ଭାରତୀୟ ସୁରକ୍ଷିତ ଭାବେ ଆସିସାରିଛନ୍ତି ।