୨୫ ବର୍ଷରେ ରାଜକନିକା ପଂଚାୟତ ସମିତ ଉପାଧ୍ୟକ୍ଷ ହେଲେ ତନ୍ମୟ


ରାଜକନିକା,୨୩/୩ :ମାତ୍ର ୨୫ ବର୍ଷ ବୟସରେ ତନ୍ମୟ ରଞ୍ଜନ ଦାସ ରାଜକନିକା ପଂଚାୟତ ସମିତି ଉପାଧ୍ୟକ୍ଷ ହୋଇଛନ୍ତି । ଅବିବାହିତ ଶ୍ରୀ ଦାସ ଜଣେ ମେକାନିକାଲ ଇଂଜିନିୟର । ରାଜନୈତିକ ପରିବାରରେ ଜନ୍ମ । ବାପା ଆଳି ବିଧାୟକଙ୍କ ଏକାନ୍ତ ଅନୁଗତ ତଥା ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ । ଆଉ ମା’ ସାବିତ୍ରୀ ଦାସ ରାଜକନିକା ପଂଚାୟତ ସମିତିର ଗତ ପାଂଚ ବର୍ଷ ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଳାଇଥିଲେ । କଂଟପଡ଼ା ଭଳି ଏକ ଦମ୍ବେଦନଶୀଳ ଗ୍ରାମ ପଂଚାୟତରୁ ସେ ନିର୍ବାଚିତ ହୋଇଛନ୍ତି । ତାଙ୍କ ଭଳି ଯୁବକଙ୍କ ପ୍ରତି ଆଳି ବିଧାୟକ ଆସ୍ଥା ପ୍ରକଟ କରିଥିବାରୁ ରାଜକନିକା ବିଜେଡ଼ି କର୍ମୀମାନେ ଖୁସି ପ୍ରକଟ କରିଛନ୍ତି । କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଳକ୍ ପଂଚାୟତ ସମିତି ଉପାଧ୍ୟକ୍ଷ ଭାବେ ବୁଧବାର ତନ୍ମୟ ରଞ୍ଜନ ଦାସ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ସମର୍ଥିତ ଉପାଧ୍ୟକ୍ଷ ପ୍ରାର୍ଥୀ ଶର୍ମିଷ୍ଠା ଦାସଙ୍କୁ ଆଠ ଖଣ୍ଡ ଭୋଟ ଅଧିକ ପାଇ ତନ୍ମୟ ବିଜୟୀ ହୋଇଛନ୍ତି । ଶର୍ମିଷ୍ଠା ଦାସ ହେଉଛନ୍ତି ତନ୍ମୟ ରଞ୍ଜନଙ୍କ ଭାଉଜ । ଆଜି ଭାଉଜ ଏବଂ ଦିଅରଙ୍କ ମଧ୍ୟରେ ହେଉଥିବା ଲଢ଼େଇ ଅତି ରୋଚକ ମୋଡ଼ରେ ଲୋକେ ଚାହିଁ ରହିଥିଲେ । ହେଲେ ଶେଷରେ ଭାଉଜ ପରାଜିତ ହୋଇଥିବା ବେଳେ ଦିଅର ବିଜୟୀ ହୋଇଛନ୍ତି । ବିଜେଡ଼ିର ସମର୍ଥିତ ତନ୍ମୟ ରଞ୍ଜନଙ୍କୁ ୧୮ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଶର୍ମିଷ୍ଠାଙ୍କୁ ୧୦ ଖଣ୍ଡ ଭୋଟ ମିଳିଥିଲା । ବିଜେଡ଼ି ସମର୍ଥିତ ସମିତି ସଦସ୍ୟ ପ୍ରକାଶ ସେନାପତି ମତଦାନ ଦେବାକୁ ଆସିନଥିଲେ । ଫଳରେ ରାଜକନିକା ବ୍ଲକ୍‌ର ୨୯ଟି ସମିତି ସଦସ୍ୟଙ୍କ ମଧ୍ୟରୁ ୨୮ ଜଣ ମତଦାନ ସାବ୍ୟସ୍ତ କରିଥିଲେ । ବିଜୟୀ ହେବା ପରେ ଉପାଧ୍ୟକ୍ଷ ତନ୍ମୟ କହିଛନ୍ତିଯେ, ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ସେ କୃତଜ୍ଞତା ଜଣାଉଛନ୍ତି । ଏହା ସହିତ ଆଳି ରାଜପରିବାର ଏବଂ ରାଜକନିକାର ଦାସ ପରିବାର ମଧ୍ୟରେ ରାଜନୈତିକ ସଂପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଦୀର୍ଘଦିନ ଧରି ଆଳି ରାଜପରିବାର ଆନୁଗତ୍ୟ ପ୍ରଦର୍ଶନ କରି ଦୀର୍ଘଦିନ ଧରି ଦଳୀୟ ସଂଗଠନକୁ ମଜ୍‌ଭୁତ କରିବାରେ ତାଙ୍କ ପରିବାର ଲାଗିରହିଛନ୍ତି । ଯେଉଁ କାରଣରୁ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଏହି ଉପାଧ୍ୟକ୍ଷ ପଦବୀ ପ୍ରଦାନ କରିଛନ୍ତି । ଯେଉଁଥି ପାଇଁ ଆମ ପରିବାର ତାଙ୍କ ନିକଟରେ ଋଣୀ ରହିଛୁ । ରାଜକନିକା ବ୍ଲକ୍‌ରେ ମୋ ମା’ଙ୍କ ସମୟରେ ଅଧୂରା ରହିଥିବା ବିକାଶ ମୂଳକ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ସହିତ ଜିଲାରେ ରାଜକନିକା ବ୍ଲକ୍‌କୁ ଏକ ଶ୍ରେଷ୍ଠ ବ୍ଳକ୍ ଭାବେ ଗଢ଼ିତୋଳିବା ପାଇଁ ଉଦ୍ୟମ କରିବି । ଏହି ଅବସରରେ ନୂତନ ଉପାଧ୍ୟକ୍ଷଙ୍କୁ ପଂଚାୟତ ସମିତିର ଅଧ୍ୟକ୍ଷା ମୀନତି ରାଉତ, ରାଜକନିକା ବ୍ଲକ୍ ବିଜେଡ଼ି ସଭାପତି ବିଦ୍ୟାଧର ବେହେରା, ବିଜୁ ଛାତ୍ର ଜନତା ଦଳର ସଭାପତି ତାପସ କୁମାର ପରିଡ଼ା, ଯୁବ ବିଜେଡ଼ି ନେତା ଭବାନୀ ଶଙ୍କର ରାୟ, ବିଜେଡ଼ି ସଂଗଠକ କୈଳାସ ସେଠୀ ଏବଂ ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।