ଭଦ୍ରକ ୨୯।୦୩ : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମ୍ପୂର୍ଣ୍ଣ ୱେବ୍ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଶେଷରେ କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଛି । ସୋମବାର ଦିନ ଗିରଫ ପରେ ଚାନ୍ଦବାଲି ଏସ.ଡି.ଜେ.ଏମ. କୋର୍ଟରେ ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ହାଜର କରାଯାଇଥିଲା। ଶର୍ମିଷ୍ଠା ସହିତ ଏହି ମାମଲାରେ ଗିରଫ ହୋଇଥିବା ମୋଟ ୭ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବା ଲାଗି କ୍ରାଇମ ବ୍ରାଞ୍ଚ ଆବେଦନ କରିଥିଲା। ତେବେ କେବଳ ୪ ଜଣଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏମାନେ ହେଲେ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ। ଆଜିଠୁ ୫ ଦିନିଆ ରିମାଣ୍ଡ ଆରମ୍ଭ ହେବ। ଏହା ପରେ ଏପ୍ରିଲ ୩ ତାରିଖ ଦିନ ୩ଟା ବେଳେ ଏମାନଙ୍କୁ କୋର୍ଟରେ ହାଜର କରିବା ଲାଗି କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋଲକାତାରୁ ଭୁବନେଶ୍ୱର ଏକ ବସରେ ଫେରୁଥିବାବେଳେ ଭଦ୍ରକର ନଳାଙ୍ଗ ନିକଟରୁ ଉଭୟ କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୋଲିସ ଉଭୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ପରେ ଉଭୟଙ୍କର ମେଡିକାଲ ଟେଷ୍ଟ ତିହିଡି ହସ୍ପିଟାଲରେ କରାଯାଇଥିଲା । ପରେ ତାଙ୍କୁ ଚାନ୍ଦବାଲି ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା । ସେଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୭ ଅଭିଯୁକ୍ତଙ୍କ ପାଇଁ୧୦ ଦିନିଆ ରିମାଣ୍ଡ ନିମନ୍ତେ ଆବେଦନ କରାଯାଇଥିଲା । ତେବେ ଜେଏମ୍ଏଫ୍ସି ଶର୍ମିଷ୍ଠାଙ୍କ ସମେତ ପୂର୍ବରୁ ଗିରଫ ନିରଞ୍ଜନ, ରଞ୍ଜନ ନାୟକ ଓ ଝୁନା ଭୋଇଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଶର୍ମିଷ୍ଠା ଗିରଫ ହେବାପରେ ତାଙ୍କୁ ଫାଶୀ ଦେବାପାଇଁ ମୃତ ମାନସଙ୍କ ମା’ ଜୟନ୍ତୀ ଦାବି କରିଛନ୍ତି । ସେ କହିଛନ୍ତି ଆମେ ସ୍ୱାମୀ ସ୍ତ୍ରୀ ପୁଅକୁ ମନରୁ ପାଶୋରି ପାରୁନାହୁଁ । ସେମାନେ ତାକୁ କିଲିବିଲି କରି ହତ୍ୟା କରିଛନ୍ତି । ହତ୍ୟା ପୂର୍ବରୁ ତାକୁ ଅକଥନୀୟ ନିର୍ଯାତନା ମଧ୍ୟ ଦିଆଯାଇଛି । ସେ ଆମ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲା । ଏବେ ତା ଅବର୍ତ୍ତମାନରେ ଆମେ କିରି ଚଳିବୁ ସେ ନେଇ ଚିନ୍ତାରେ ପଡ଼ିଛୁ । ତେଣୁ ଅଭିଯୁକ୍ତକୁ ଫାଶୀ ଦେଲେ ମାନସର ଆତ୍ମା ଶାନ୍ତି ପାଇବ ବୋଲି ଜୟନ୍ତୀ କହିଛନ୍ତି ।
-Advertisement-
-Advertisement-