ଲକ୍ଷ୍ନୌ ,୨୫/୦୩ :ଆଜି ଉତ୍ତରପ୍ରଦେଶରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଯୋଗୀ ଆଦିତ୍ୟନାଥ। ଶପଥ ଗ୍ରହଣ ସମାରୋହ ଅପରାହ୍ମଣ ୪ଟାରେ ଲକ୍ଷ୍ନୌ ସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ । ଗୁରୁବାର ଦିନ ଉତ୍ତରପ୍ରଦେଶରେ ନବନିର୍ବାଚିତ ବିଜେପି ବିଧାୟକମାନେ ଯୋଗୀ ଆଦିତ୍ୟନାଥଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ମୁଖ୍ୟ ଅତିଥି ହେବେ । ଯୋଗୀଙ୍କ ଶପଥ ଗ୍ରହଣ ସମାରୋହରେ ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂହ ସମେତ ବିଜେପିର ବିରଷ୍ଠ ନେତା ଓ କର୍ମୀ ଉପସ୍ଥିତ ରହିବେ । ଏଥି ସହିତ ବିଜେପି ଶାସିତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମର ସାକ୍ଷୀ ହେବେ । ଯୋଗୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶପଥ ଗ୍ରହଣ ସମାରୋହକୁ ହାଇଟେକ୍ କରିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶପଥ ଗ୍ରହଣ ସମାରୋହରେ ରାଜନୀତି ଠାରୁ ଆରମ୍ଭ କରି ଶିଳ୍ପପତି ଓ ବଲିଉଡ କଳାକାର ମଧ୍ୟ ସାମିଲ ହେବେ । ଏହାକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ପୂରା କାର୍ଯ୍ୟକ୍ରମ ସମୟରେ ଇକାନା ଷ୍ଟାଡିୟମ୍ ଓ ଲଖନଉରେ ଆଣ୍ଟି ଡ୍ରୋନ୍ ଟିମ ଆକାଶମାର୍ଗରୁ ନଜର ରଖିବେ । ଏହା ବ୍ୟତୀତ ଷ୍ଟାଡିୟମ ଆଖପାଖର ସମସ୍ତ ଉଚ୍ଚ କୋଠାରୁ ମଧ୍ୟ ନଜର ରଖାଯିବ । ଏଟିଏସର କାମଣ୍ଡୋ ଟିମ୍ ମଧ୍ୟ ମୁତୟନ ହେବେ । ୫ କଂପାନୀ ପିଏସି ଓ ୩୦୦୦ ପୋଲିସ କର୍ମଚାରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁତୟନ ହେବେ ।