ଚିତୋର, ୨୭।୦୩ : ବିବାହ ପାଇଁ ଯାତ୍ରୀଙ୍କୁ ନେଇ ଯାଇଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କିଛି ଗୁରୁତର ଅଛନ୍ତି । ଶନିବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା ଅନ୍ତର୍ଗତ ବାକ୍ରାପେଟା ଗୋଟାଏ ବସ୍ ପାହାଡ଼ ଧାରରୁ ଖସି ଉପତ୍ୟକାରେ ପଡ଼ିଯିବାରୁ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୪୫ଜଣ ଆହତ ହୋଇଛନ୍ତି।ଦଉଡ଼ି ଯୋଗେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଛି। ଆନ୍ଧ୍ରପ୍ରଦେଶର ମନ୍ଦିରମାଳିନୀ ସହର ତିରୁପତି ଠାରୁ ୨୫ କିଲୋମିଟର ଦୂରରେ ଥିବା ଭାକରପେଟାରେ ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ବିବାହ ପାଇଁ ଯାଇଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତିରୁପତି ଏସ୍ପି କହିଛନ୍ତି, ଚାଳକଙ୍କ ଅବହେଳା ଯୋଗୁଁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରୋଇ ବସ୍ଟି ୫୨ ଜଣ ବିବାହ ଯାତ୍ରୀଙ୍କୁ ନେଇ ଅନନ୍ତପୁର ଜିଲ୍ଲା ଧରମାବରମ ଠାରୁ ବାହାରିଥିଲା । ଏହା ଚିତୋର ଜିଲ୍ଲାର ନାଗାରୀ ନିକଟ ଏକ ଗାଁକୁ ଯାଉଥିଲା । ଘାଟ ରୋଡ୍ରେ ବସ୍ଟି ଯାଉଥିବା ବେଳେ ଆଦୁପୁଟ୍ଟାପି ଘାଟିରେ ଭାରସାମ୍ୟ ହରାଇଥିଲା । ସୂଚନା ମିଳିବା ପରେ ପୋଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲେ । ୫୦ ଫୁଟ ଗଭୀରକୁ ବସ୍ଟି ଖସିପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।