ଆନ୍ଧ୍ର ପ୍ରଦେଶର ୨୪ ମନ୍ତ୍ରୀ ଦେଲେ ଇସ୍ତଫା

ଆନ୍ଧ୍ରପ୍ରଦେଶ, ୦୭/୦୪:ଆନ୍ଧ୍ର ପ୍ରଦେଶ କ୍ୟାବିନେଟର ସମସ୍ତ ୨୪ ମନ୍ତ୍ରୀ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ୨୦୨୪ ରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ଏହି ବଡ଼ ପରିବର୍ତ୍ତନ କରାଯାଇଛି । ଗୁରୁବାର ସମୁଦାୟ ୨୪ ମନ୍ତ୍ରୀ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଜଗନ ମୋହନ କ୍ୟାବିନେଟରେ ପରିବର୍ତ୍ତନ କରିବାକୁ ଚାହୁଛନ୍ତି ତେଣୁ ଏଭଳି ପଦକ୍ଷେପ ନିଆଯାଇଛି । ଗୁରୁବାର କ୍ୟାବିନେଟ୍ ବୈଠକ ପରେ ସଚିବାଳୟରେ ସବୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କୁ ତାଙ୍କର ଇସ୍ତଫା ଦେଇଛନ୍ତି । ଏହି ନିଷ୍ପତ୍ତିକୁ ଆଗାମୀ ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି । ଏହାପୂର୍ବରୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱରେ କ୍ୟାବିନେଟର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟକୁ ଭଙ୍ଗ କରିଥିଲେ ଏବଂ ସମସ୍ତ ମନ୍ତ୍ରୀ ଇସ୍ତଫା ପତ୍ର ଦାଖଲ କରିଥିଲେ । ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଜଗନ୍ ମୋହନ ରେଡ୍ଡୀ ରାଜ୍ୟ କ୍ୟାବିନେଟରେ ଏକ ବଡ ପରିବର୍ତ୍ତନ କରି ପାରନ୍ତି । କୁହାଯାଉଛି କି, ନିର୍ବାଚନ ପୂର୍ବରୁ ରେଡ୍ଡୀ ତାଙ୍କ କ୍ୟାବିନେଟରେ କିଛି ନୂଆ ଚେହେରାକୁ ସ୍ଥାନ ଦେଇପାରନ୍ତି ।ମୁଖ୍ୟମନ୍ତ୍ରୀ ଗତ ମାସରେ ଘୋଷଣା କରିଥିଲେ ଯେ ଉଗାଡୀ (ତେଲୁଗୁ ନବବର୍ଷ) ଏବଂ ନୂଆ ଜିଲ୍ଲା ଗଠନ ପରେ ମନ୍ତ୍ରୀମଣ୍ଡଳ ପୁର୍ନଗଠନ କରାଯିବ । ରାଜ୍ୟରେ ୪ ଏପ୍ରିଲରେ ୧୩ ନୂଆ ଜିଲ୍ଲା ଗଠନ କରାଯାଇଥିଲା । ବୁଧବାର ମୁଖ୍ୟମନ୍ତ୍ରୀ ଜଗନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦଙ୍କୁ ଭେଟି ମନ୍ତ୍ରୀମଣ୍ଡଳ ଅଦଳବଦଳର ସୂଚନା ଦେଇଥିଲେ ।

-Advertisement-
-Advertisement-