ଏପ୍ରିଲ ୯ ରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୬/୪ : ଆସନ୍ତା ଶନିବାର ୯ ତାରିଖ ମହାପ୍ରଭୁ ଶ୍ରଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ଭାବରେ ପାଳିତ ହେଉଥିବା ରଥଯାତ୍ରାରେ ଯୋଗଦେବେ ସାଧାରଣ ଭକ୍ତ ।ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସର୍‌କିଟ୍‌ ହାଉସଠାରେ ସମନ୍ୱୟ ଏବଂ ଟ୍ରଷ୍ଟ ବୋର୍ଡ ବୈଠକ ବସିଥିଲା । ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସହ ସମନ୍ୱୟ ବୈଠକରେ ରଥାଯାତ୍ରାର ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ୯ ତାରିଖ ଦିନ ୧୨ଟା ୩୦ ରୁ ୧ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥାରୂଢ ନୀତି ହେବ ଏବଂ ଅପରାହ୍ନ ୩ଟା ୩୦ ରୁ ରଥଟଣା ଆରମ୍ଭ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିଭଳି ବାହୁଡ଼ା ଯାତ୍ରା ୧୩ରେ ହେବା ନେଇ ମଧ୍ୟ ନିଷ୍ପତ୍ତି । ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ବୈଠକରେ ଉପ-ଜିଲ୍ଲାପାଳ, ବିଏମସି ଅତିରିକ୍ତ କମିଶନର ବୈଠକରେ ସାମିଲ୍ ।ଦିନ ୩ଟା୩୦ରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । ସନ୍ଧ୍ୟା ପୂର୍ବରୁ ରଥ ମାଉସୀମା’ ମନ୍ଦିରରେ ପହଞ୍ଚାଯିବ ।  ଚଳିତ ବର୍ଷ ଜନସମାଗମ ଅଧିକ ହେବାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରାଯିବ । ବିଭିନ୍ନ ସ୍ଥାନରୁ ଯାତ୍ରୀଙ୍କ ଯାଆସ ନିମନ୍ତେ ଅଧିକ ସଂଖ୍ୟାର ‘ମୋ ବସ୍‌’ ଚଳାଚଳ କରିବ । ଖରା ଦାଉରୁ ଶ୍ରଦ୍ଧାଳୁଙ୍କୁ ରକ୍ଷା କରିବା ନିମନ୍ତେ ୱାଟ୍‌କୋ ତରଫରୁ ପର୍ଯ୍ୟାପ୍ତ ପିଇବା ପାଣି ଯୋଗାଇ ଦିଆଯିବ । ରାସ୍ତାକୁ ଓଦା ରଖିବା ଓ ମରିଚି କୁଣ୍ଡ ନିକଟରେ ସ୍ନାନ ନିମନ୍ତେ ବିଏମ୍‌ସି ଦ୍ୱାରା ଅସ୍ଥାୟୀ ଗାଧୁଆ ଘର ନିର୍ମାଣ କରାଯିବ । ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅସ୍ଥାୟୀ ସୂଚନା କେନ୍ଦ୍ର, ଆଧ୍ୟାତ୍ମିକ ଧାରାବିବରଣୀ ପ୍ରଚାର ଓ ଗଣମାଧ୍ୟମ ଦ୍ୱାରା ଧାରା ବିବରଣୀର ସିଧା ପ୍ରସାରଣ କରାଯିବ । ଶାନ୍ତି ଶୃଙ୍ଖଳା ପାଇଁ ଅଧିକ ସଂଖ୍ୟାରେ ପୁଲିସ ନିୟୋଜିତ ରହିବେ । ସେହିପରି ଜରୁରିକାଳୀନ ସେବା ପାଇଁ ଅଗ୍ନିଶମ ବିଭାଗ ଓ ସେଣ୍ଟ ଜୋନ୍ସ ଦ୍ୱାରା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ।