ଓଡ଼ିଶା ଫେରିଲେ ଆଉ ୬୫ଛାତ୍ରଛାତ୍ରୀ

ଭୁବନେଶ୍ବର, ୪/୩ :ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନଷ୍ଟ ହୋଇଛି। ଦୁଇ ଦେଶର ହଜାର ହଜାର ସୈନିକଙ୍କ ଜୀବନ ଯାଇଛି। ଏହାରି ଭିତରେ  ଯୁଦ୍ଧ  ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ  ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି । ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ  ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୫ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ  ଆଣିବା ପାଇଁ ସଫଳ ହୋଇଛନ୍ତି । ସେ ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଏ ପର୍ଯ୍ୟନ୍ତ  ୧୯୯ଛାତ୍ରଛାତ୍ରୀ ନିରାପଦରେ ଭାରତରେ ପହଞ୍ଚି ସାରିଛନ୍ତି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ  ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି । ନୂଆଦିଲ୍ଲୀ ସ୍ଥିତ Resident commission office ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି ।