ଭୁବନେଶ୍ୱର ୦୨/୦୫: କଟକ ଓ ଭୁବନେଶ୍ୱରରେ ଏନ୍ଆଇଏ ଟିମର ଚଢ଼ାଉ। ପଶ୍ଚିମବଙ୍ଗ ବିରଭୂମି ହତ୍ୟା ଘଟଣାରେ ସଂପୃକ୍ତି ଥିବା ରତନ ପରମାଣିକ(୪୨)କୁ ଭୁବନେଶ୍ୱର ପାଣ୍ଡରା ନିକଟରୁ ଏନ୍ଆଇଏ ଟିମ୍ ଗିରଫ କରିଛି। ମାର୍ଚ୍ଚ ୨୧ରେ ଘଟିଥିଲା ବୀରଭୂମି ହିଂସା। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ବୀରଭୂମି ହିଂସାକାଣ୍ଡରେ ସାମିଲ ଥିବା ରତନ ପରମାଣିକ ଭୁବନେଶ୍ୱର ପାଣ୍ଡରାରେ ଲୁଚି ରହିଥିବା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ସୂଚନା ମିଳିଥିଲା । ଏହାପରେ ଏନ୍ଆଇଏ ଟିମ୍ ଭୁବନେଶ୍ୱର ସ୍ଥିତ ପାଣ୍ଡରାରେ ଚଢାଉ କରି ରତନକୁ ଗିରଫ କରିଛି । ୪୨ ବର୍ଷୀୟ ରତନର ଘର ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ପଶ୍ଚିମ ଭାଗମାରି ଗାଁରେ। ତେବେ ଏନ୍ଆଇଏ କେସ୍ ନମ୍ବର ଆରସି ୩/୨୨ରେ ରତନ ନାଁରେ ମାମଲା ରୁଜୁ ହୋଇଥିଲା। ଏହାବ୍ୟତୀତ ତା ନାଁରେ ଆଇପିସି ୧୨୦ ବି, ୨୮୬, ୩୨୬,୩୪ ଧାରା ଲାଗିଛି।ସେହିପରି ସେକ୍ସନ ୩ ଓ ୪ ବେଆଇନ ବିସ୍ଫୋରକ ପଦାର୍ଥ ରଖିବା ଆକ୍ଟ ମଧ୍ୟ ଲାଗିଛି। ତେବେ ରତନକୁ ଗିରଫ ପରେ କୋର୍ଟରେ ହାଜର କରି ୩ ଦିନିଆ ଟ୍ରାନ୍ଜିଟ୍ ରିମାଣ୍ଡରେ ନେଇଛି । ଏନେଇ ଓକିଲ ଏ ଚାନ୍ଦ ସୂଚନା ଦେଇଛନ୍ତି ।