ରାଜକନିକା,୩/୩ : ଧାନ ବିକିବାକୁ ଟୋକନ ପାଇଥିଲେ ଚାଷୀ । ହେଲେ ନିର୍ଦ୍ଧିଷ୍ଟ ତାରିଖରେ ଧାନକୁ ଆଣି ମଣ୍ଡିରେ ରଖିଲେ । ହେଲେ ତରାସ ସମବାୟ ସମିତି ସୋସାଇଟ୍ ପକ୍ଷରୁ ଚାଷୀଙ୍କୁ ଟୋକନ ସମୟର ଅବଧି ସରିଯାଇଥିବା ବେଳେ ଆଉ ସରକାରଙ୍କ ଲକ୍ଷ୍ୟ ନଥିବାର କହି ଫେରାଇ ଦେଇଛନ୍ତି । ଫଳରେ ଧାର କରଜ କରି ଶହଶହ ଚାଷୀ ଚାଷ କରିଥିଲେ ମଧ୍ୟ ଧାନ ବିକିବାକୁ ବଂଚିତ ହୋଇଛନ୍ତି । ଖରା ବର୍ଷ|ରେ ମଣ୍ଡିରେ ପଡ଼ିଛି ଶହଶହ କୁଇଣ୍ଟାଲ ଧାନ ବସ୍ତା । ଏହା ସହିତ ଚଳିତ ବର୍ଷ ବାତ୍ୟା ଏବଂ ଲଗାଣ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଭାଗିଯାଇଥିଲା । ବହୁ ହିନସ୍ତା ପରେ ଚାଷୀ କିଛି ଅମଳ କରିବାକୁ ଉଦ୍ୟମ କରିବା ବେଳେକୁ ତରାସ ସମବାୟ ସମିତିର ସଂପାଦକଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟକୁ ଘୋର ବିରୋଧ କରିଛନ୍ତି ଚାଷୀ । ଏଭଳି ଘଟଣାକୁ ଆଉ ସହ୍ୟ ନକରି ପାରି କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିପାରି ନଥିଲା । ଫଳରେ ଗୁରୁବାର ରାଜକନିକା ବ୍ଲକ୍ ନେତାଜୀ ଛକ ନିକଟରେ ଦିନ ୧୧ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି ଶହଶହ ଚାଷୀ । ଏହି କାରଣରୁ ପାଂଚ ଘଣ୍ଟା ଧରି ରାସ୍ତାରେ ଗାଡ଼ି ମଟର ଯାତାୟତ ବନ୍ଦ ରହିଛି । ଫଳରେ ହିନସ୍ତା ହୋଇଥିଲେ ଶହଶହ ଯାତ୍ରୀ । ରାସ୍ତା ଦୁଇ କଡ଼ରେ ଗାଡ଼ି ମଟର ଅଟକି ରହିଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଚାଷୀମାନେ ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ । ଅପରାହ୍ଣ୫ଟାରେ ରାଜକନିକା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, ତହସିଲଦାର ପ୍ରେମାନନ୍ଦ ବେହେରା, ଯୋଗାଣ ଅଧିକାରୀ ରବିନାରାୟଣ ବେହେରା ଏବଂ ଆଇଆଇସି ବିଲ୍ୱମଙ୍ଗଳ ସେଠୀ ଚାଷୀ ମାନଙ୍କୁ ଧାନ କିଣାଯିବାର ପ୍ରତିଶୃତି ଦେବା ପରେ ରାସ୍ତାଅବରୋଧ ଘଟିଥିଲା । ତୁରନ୍ତ ଜିଲା ଯୋଗାଣ ଅଧିକାରୀଙ୍କୁ ଲିଖିତ ଭାବେ ଚାଷୀମାନଙ୍କ ଧାନ କିଣାଯିବା ପାଇଁ ବ୍ୟବସ୍ଥା କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଜଣାଇଦିଆଯାଇଛି । ଏଠାରେ ପ୍ରକାଶଥାଉକି ତରାସ ସମବାୟ ସମିତିରେ ଚଚଂକତା କରି ଧାନକିଣା ହେଉଥିବାର ଅଭିଯୋଗ କରିଛନ୍ତି ଚାଷୀ । ଏହି ଘଟଣା ଉପରେ ତୁରନ୍ତ ତଦନ୍ତ କରାଯିବା ପାଇଁ ଦାବି ହେଉଛି ।