ନୂଆଦିଲ୍ଲୀ , ୧୭|୦୨: ମହାମାରୀ କରୋନା ସଂକ୍ରମଣର ତୃତୀୟ ଲହର ସାରା ଦେଶରେ ଏବେ ହ୍ରାସ ପାଇବାରେ ଲାଗିଛି । କିଛି ରାଜ୍ୟରେ ଅତିରିକ୍ତ କଟକଣା ବଳବତ୍ତର ରହିଛି । ଏହି ଅତିରିକ୍ତ କଟକଣାକୁ ହଟାଇବା ପାଇଁ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମୁଖ୍ୟ ସଚିବଙ୍କ ନିକଟକୁ ଲେଖିଥିବା ପତ୍ରରେ ନିର୍ଦେଶ ଦେଇଛନ୍ତି। କରୋନା କଟକଣା ହଟାଇବା ସମୟରେ ସମ୍ପୃକ୍ତ ଅଞ୍ଚଳରେ ନୂଆ ସଂକ୍ରମଣ ମାମଲା ଓ ସଂକ୍ରମଣ ହାରକୁ ବିଚାର କରିବାକୁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ ଜନତାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ଉପଯୁକ୍ତ ପରିଚାଳନା ସହିତ ଅର୍ଥନୈତିକ କାର୍ଯ୍ୟକଳାପକୁ ସ୍ବାଭାବିକ କରିବା ଜରୁରୀ। ଗତ ସପ୍ତାହଠାରୁ ସଂକ୍ରମଣ ହ୍ରାସପାଇ ଚାଲିଥିବାରୁ ଏବେ ଆଉ ଅତିରିକ୍ତ କଟକଣାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ।
ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଚିଠି ଲେଖି ଉଲ୍ଲେଖ କରିଛନ୍ତି ଯେ ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରନ୍ତୁ କିମ୍ବା ଅତିରିକ୍ତ କଟକଣା ପ୍ରତ୍ୟାହାର କରନ୍ତୁ । ଏବେ ସମଗ୍ର ଦେଶରେ କରୋନା ଗ୍ରାଫ୍ ତଳମୁହାଁ ରହିଛି । ତେଣୁଏହା ସହିତ ରାଜ୍ୟ-ରାଜ୍ୟ ମଧ୍ୟରେ ସାଧାରଣ ଯାତାୟାତ ପ୍ରଭାବ ମୁକ୍ତ ହେବା ଦରକାର। ଚଳିତ ସପ୍ତାହରେ ଦେଶରେ ଦୈନିକ ସଂକ୍ରମଣ ୫୦ହଜାର ତଳକୁ ରହିଛି। ଦେଶ ଓ ବିଶ୍ବରେ କରୋନାର ନୂଆ ପ୍ରଜାତି ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ସରକାର ନୂଆ ନୂଆ ମାର୍ଗଦର୍ଶିକା ଜାରି କରୁଆସୁଛନ୍ତି। ରାଜ୍ୟଗୁଡ଼ିକ ତଦନୁଯାୟୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସଂକ୍ରମଣ ରୋକିବାକୁ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ସ୍ୱାସ୍ଥ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଲା ଟେଷ୍ଟ, ଟ୍ରାକ୍, ଟ୍ରିକ୍, ଟିକାକରଣ ଓ କୋଭିଡ୍ର ଉପରେ ଧ୍ୟାନ ଦେବାକୁ ପଡ଼ିବ।