ପୁରୀ: ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ କୃମି ନାଶ ଓ ଭେକ୍ଟର ବାହିତ ରୋଗ ସଂପର୍କିତ ସମନ୍ବୟ କମିଟି ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଛି । ଆସନ୍ତା ୧୦ ତାରିଖରେ ଜାତୀୟ କୃମି ନାଶ ଦିବସ ପାଳନ ହେଉଥିବାରୁ ଆସନ୍ତା ୧୦ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏକରୁ ୧୯ ବର୍ଷ ବୟସ ପିଲାମାନଙ୍କୁ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ଆଲବେନଡାଜୋଲ ସିରପ୍ (Albendazola Oral Suspension),ଆଲବେନଡାଜୋଲ ବଟିକା ଏବଂ ଭିଟାମିନ -ଏ ସିରପ୍ ପ୍ରଦାନ କରାଯିବ । ଜିଲ୍ଲାରେ ୫ ଲକ୍ଷ ୪୭ ହଜାର ୯୯୮ ଜଣ ପିଲା ଏହି ଅଭିଯାନରେ ସାମିଲ ହେବାର ଲକ୍ଷ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୧ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ୧୦୨୮୮୯ ଏବଂ ୬ ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ୪୪୫୧୦୯ ଜଣ ପିଲା ଅଛନ୍ତି । ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଆଲବେନଡାଜୋଲ ଓ ଭିଟାମିନ – ଏ ସିରପ, ୬ ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଆଲବେନଡାଜୋଲ ବଟିକା ଦିଆଯିବ । ଏହି ଅଭିଯାନରେ ୨୫୯୫୧୦ ଡୋଜ ଆଲବେନଡାଜୋଲ, ୧୨୨୨୦ ଡୋଜ ଭିଟାମିନ-ଏ ସିରପ ଏବଂ ୬୩୮୨୮୦ ବଟିକା ଦିଆଯିବ । ଆଶା, ଅଙ୍ଗନୱାଡି କର୍ମୀ, ଏଏନଏମ୍ ମାନେ ଘର ଘର ବୁଲି ପିଲାମାନଙ୍କୁ ବୁନ୍ଦା ଓ ବଟିକା ପ୍ରଦାନ ସହ ସଚେତନତା ସୃଷ୍ଟି କରିବେ । ଗତବର୍ଷ ଏହି ଅଭିଯାନରେ ଶତକଡା ୯୭.୪ ପ୍ରତିଶତ ଲକ୍ଷ ହାସଲ କରାଯାଇଥିଲା । ସେହିଭଳି ଜିଲ୍ଲାରୁ ମ୍ୟାଲେରିଆ, ଫାଇଲେରିଆ, ଡେଙ୍ଗୁ ଓ ଜାପାନୀ ମସ୍ତିଷ୍କ ଜ୍ବର ନିୟନ୍ତ୍ରଣ ନିମନ୍ତେ କାର୍ଯ୍ୟପନ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ସଚେତନତା ସହ ମଶା ଅଣ୍ତା ଦେଉଥିବା ସ୍ଥାନ ନିପାତ, ଡେଙ୍ଗୁ ଓ ମ୍ୟାଲେରିଆ ବ୍ୟାପୁଥିବା ଅଞ୍ଚଳରୁ ରକ୍ତ ନମୁନା ସଂଗ୍ରହ, ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ଚିକିତ୍ସିତ ହେଉଥିବା ମ୍ୟାଲେରିଆ ରୋଗୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ, ମ୍ୟାଲେରିଆ କିଟ୍ ବଣ୍ଟନ, ଡେଙ୍ଗୁ ସଚେତନତା ନିମନ୍ତେ ସେଚ୍ଛାସେବୀ ମୁତୟନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି । ଗତବର୍ଷ ଜିଲ୍ଲାରେ ୩୬ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ମାନଙ୍କ ମଧ୍ୟରୁ ୧୫ ଜଣ ଜିଲ୍ଲା ବାସିନ୍ଦା, ୩୯୪ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୨୫୯ ଜିଲ୍ଲା ବାସିନ୍ଦା ଏବଂ ୨ ଜଣ ଜାପାନୀ ଜ୍ବର ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରୁ ସିଡିଏମଓ ଡଃ ପ୍ରଣବ ଶଙ୍କର ଦାଶ, ଭେକ୍ଟର ବାହିତ ରୋଗ ବିଭାଗର ଡଃ ନିମାଇଁ ଚରଣ ଜେନା, ଡିପିଏମ୍ ଟି.ନାରାୟଣ ରାଓ, ଏପିଏମ ଶ୍ରୀ ସନ୍ତୋଷ ମିଶ୍ର, ଆଶା ସଂଯୋଜକ ଶ୍ରୀ ଅଶୋକ କୁମାର ସାହୁ, ଡିଏମଆରସିଏଚ୍ ଶ୍ରୀ ପ୍ରଶାନ୍ତ କୁମାର ବରାଳ, ପରାମର୍ଶଦାତା ଶ୍ରୀ ଶକ୍ତି ପ୍ରସନ୍ନ ମିଶ୍ର, ଶ୍ରୀ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
-Advertisement-