କୃମି ନାଶ ସପ୍ତାହ ଅଭିଯାନ ଆସନ୍ତାକାଲି ଠାରୁ ଆରମ୍ଭ

ପୁରୀ,୦୯/୦୨- ଜାତୀୟ କୃମି ନାଶ ଦିବସ ଆସନ୍ତାକଲି ପାଳନ କରାଯିବ । ଏଥିନିମନ୍ତେ ଆସନ୍ତା ୧୦ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏକରୁ ୧୯ ବର୍ଷ ବୟସ ପିଲାମାନଙ୍କୁ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ଆଲବେନଡାଜୋଲ ସିରପ୍ (Albendazola Oral Suspension),ଆଲବେନଡାଜୋଲ ବଟିକା ଏବଂ ଭିଟାମିନ -ଏ ସିରପ୍ ପ୍ରଦାନ କରାଯିବ । ଜିଲ୍ଲାରେ ୫ ଲକ୍ଷ ୪୭ ହଜାର ୯୯୮ ଜଣ ପିଲା ଏହି ଅଭିଯାନରେ ସାମିଲ ହେବାର ଲକ୍ଷ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୧ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ୧୦୨୮୮୯ ଏବଂ ୬ ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ୪୪୫୧୦୯ ଜଣ ପିଲା ଅଛନ୍ତି । ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଆଲବେନଡାଜୋଲ ଓ ଭିଟାମିନ – ଏ ସିରପ, ୬ ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଆଲବେନଡାଜୋଲ ବଟିକା ଦିଆଯିବ । ଏହି ଅଭିଯାନରେ ୨୫୯୫୧୦ ଡୋଜ ଆଲବେନଡାଜୋଲ, ୧୨୨୨୦ ଡୋଜ ଭିଟାମିନ-ଏ ସିରପ ଏବଂ ୬୩୮୨୮୦ ବଟିକା ଦିଆଯିବ । ଆଶା, ଅଙ୍ଗନୱାଡି କର୍ମୀ, ଏଏନଏମ୍ ମାନେ ଘର ଘର ବୁଲି ପିଲାମାନଙ୍କୁ ବୁନ୍ଦା ଓ ବଟିକା ପ୍ରଦାନ ସହ ସଚେତନତା ସୃଷ୍ଟି କରିବେ । ପ୍ରତିବର୍ଷ ଫେବୃୟାରୀ ଏବଂ ଅଗଷ୍ଟ ମାସରେ ଏହି ଅଭିଯାନ ଯାରି ରହିଥାଏ । ଗତ ଅଗଷ୍ଟ ମାସ ଅଭିଯାନରେ ଶତକଡା ୯୭.୪ ପ୍ରତିଶତ ଲକ୍ଷ ହାସଲ କରାଯାଇଥିଲା । ଚଳିତ ଅଭିଯାନରେ ଶତ ପ୍ରତିଶତ ହାସଲ କରିବାର ଲକ୍ଷ ରଖାଯାଇଛି ।