ନୂଆଦିଲ୍ଲୀ,୩୧/୦୩: ଦିଲ୍ଲୀରେ ଇ-ଓଟୋର ଲଞ୍ଚ ପ୍ରୋଗ୍ରାମରେ ଯୋଗ ଦେଇ କେଜ୍ରିୱାଲ କହିଛନ୍ତି ଯେ ‘କେଜ୍ରିୱାଲ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦେଶ ହେଉଛି ଗୁରୁତ୍ୱପୂର୍ଣ୍ଣ’। ସେ କହିଛନ୍ତି ଯେ ଦେଶର ଏକ ପୁରୁଣା ଦଳ ଏଭଳି ଗୁଣ୍ଡାମି କରିବା ଶୋଭା ଦେଉନାହିଁ। ଏଭଳି କରିବା ଦ୍ୱାରା ଦେଶର ଯୁବକମାନଙ୍କୁ ଅଲଗା ସନ୍ଦେଶ ଯିବ ବୋଲି କେଜ୍ରିୱାଲ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ ହେବାର ଗୋଟିଏ ଦିନ ପରେ ସେ କହିଛନ୍ତି ଯେ ମୁଁ ଦେଶ ପାଇଁ ଜୀବନ ମଧ୍ୟ ଦେଇପାରେ। ଦଳ ଆହୁରି କହିଥିଲା ଯେ ଯେତେବେଳେ ବିଜେପି ନିର୍ବାଚନ ହାରିଯାଉଛି କେଜ୍ରିୱାଲଙ୍କୁ ମାରିବା ପାଇଁ ଚେଷ୍ଟା କରୁଛି। ସୂଚନା ଥାଉକି, ବିଜେପିର ଯୁବମୋର୍ଚ୍ଚାର ପ୍ରାୟ ୧୫୦-୨୦୦ କର୍ମୀ ବୁଧବାର ସକାଳ ୧୧ଟା ୩୦ ମିନିଟ୍ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ଏହି ପ୍ରଦର୍ଶନ କେଜ୍ରିଓ୍ବାଲଙ୍କ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ବିଧାନସଭାରେ ଦିଆଯାଇଥିବା ବୟାନ ବିରୋଧରେ ଥିଲା। ପ୍ରାୟ ୧ଟା ବେଳେ କିଛି ପ୍ରଦର୍ଶନକାରୀ ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାର ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲେ। ସେମାନେ ଗେଟ୍ ଉପରକୁ ପେଣ୍ଟ ଫୋପାଡିବା ସହ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ୭୦ ଜଣଙ୍କୁ ଗିରଫ କରିଥିଲା।