ତାତୁଛି ଓଡ଼ିଶା

ଭୁବନେଶ୍ବର, ୧୫/୦୪ :  ମହାବିଷୁବ ସଂକ୍ରାନ୍ତି ତଥା ହିନ୍ଦୁ ନବବର୍ଷରୁ ରାଜ୍ୟରେ ଅତ୍ୟଧିକ ବଢିଛି ଗ୍ରୀଷ୍ମପ୍ରବାହ। ସୂର୍ଯ୍ୟଙ୍କ ଚଳନ ପରିବର୍ତ୍ତନ ଯୋଗୁଁ ପ୍ରଚଣ୍ଡ ଗ୍ରୀଷ୍ମ ଏବେ ଅଧା ଓଡ଼ିଶାକୁ ସିଝାଉଛି। ଗୁରୁବାର ଦେଶରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ପଶ୍ଚିମ ଓଡ଼ିଶାର ନଇକୂଳିଆ ଅଞ୍ଚଳ ସୁବର୍ଣ୍ଣପୁର। ଏଠାରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବେସ୍‌ କିଛି ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଗୁରୁବାର ଦିନ ଉତ୍ତର ଓଡ଼ିଶା ସମସ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିଛି। ଏହି କ୍ରମରେ ୧୬ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ଝାରସୁଗୁଡାରେ ପାରଦ ୪୪ ଡିଗ୍ରୀ ଉପରେ ଥିବାବେଳେ ଆଜି ସୁବର୍ଣ୍ଣପୁରରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ହୋଇଛି। ଯାହାକି ଦେଶ ତଥା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସୁବର୍ଣ୍ଣପୁର ।

-Advertisement-

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ଅର୍ଥାତ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ମଧ୍ୟ ଅଧିକ ଗରମ ଅନୁଭୂତ ହେବ।

ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା ଓ ବାରିପଦାରେ ତାପମାତ୍ରା ଅଧିକ ରହୁଛି।  ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ପବନ ହୋଇଛି। ଜିଲ୍ଳାରେ ୪୦ ମିମି ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୨୪ ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରୁ ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ହଳଦିଆ ସତର୍କ ସୂଚନା ଜାରି କରିଛି। ନବରଙ୍ଗପୁର, କଳାହାଣ୍ଡି, ଅନୁଗୋଳ ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କାଳବୈଶାଖୀ ଜନିତ ବଜ୍ରପାତ ଏବଂ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବା ନିମନ୍ତେ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପକ୍ଷରୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

-Advertisement-

Leave a Reply