ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଲା ପୁରୀ ଜିଲ୍ଲା ପ୍ରଶାସନ

ପୁରୀ,୧୦/୨:ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପରିଚାଳନା ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କର ସହଯୋଗ ଲୋଡାଯାଇଅଛି । ପୋଲିଂ ପାର୍ଟି ଏବଂ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ନିମନ୍ତେ ଗାଡି ନିୟୋଜନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ପୁରୀଙ୍କ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ, ପୁରୀଙ୍କ ମାଧ୍ୟମରେ ଗାଡି ମାଲିକମାନଙ୍କୁ ଅନୁରୋଧ ପତ୍ର ଦିଆଯାଇଅଛି । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଗାଡି ମାଲିକମାନଙ୍କ ଅନୁରୋଧ ପତ୍ରରେ ଉଲ୍ଲେଖ ଥିବା ୧୪ ତାରିଖ ମଧ୍ୟାହ୍ନ ୧୨ ଘଣ୍ଟିକା ସମୟ ପରିବର୍ତ୍ତେ ସେହି ଦିନ ଅର୍ଥାତ ୧୪ ତାରିଖ ସକାଳ ୭ ଘଣ୍ଟିକା ସମୟରେ ସଂପୃକ୍ତ ବ୍ଲକରେ ସମସ୍ତ ଗାଡିଗୁଡିକୁ ମୁତୟନ ନିମନ୍ତେ ଅନୁରୋଧ କରାଯାଇଅଛି । ତେଣୁ ଆସନ୍ତା ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ତିନିଗୋଟି ବ୍ଲକ ଯଥା: କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକ ନିମନ୍ତେ ଆସନ୍ତା ୧୪ ତାରିଖ ଦିନ ସକାଳ ୭ ଘଣ୍ଟିକା ସମୟରେ ସମସ୍ତ ଗାଡିଗୁଡିକ ସଂପୃକ୍ତ ବ୍ଲକ କାର୍ଯ୍ୟଳୟରେ ପହଁଞ୍ଚିବା ନିମନ୍ତେ ସମସ୍ତ ମାଲିକମାନଙ୍କୁ ଅନୁରୋଧ କରାଯାଇଛି।

ସେହିପରି ୧୮ ତାରିଖରେ ନିର୍ବାଚନ ହେବାକୁ ଥିବା ଦୁଇ ଗୋଟି ବ୍ଲକ ଯଥା: ଗୋପ ଓ ନିମାପଡା ନିମନ୍ତେ ୧୬ ତାରିଖ ସକାଳ ୭ ଘଣ୍ଟିକା ସମୟରେ ଏବଂ ୨୦ ତାରିଖରେ ହେବାକୁ ଥିବା ଦୁଇ ଗୋଟି ବ୍ଲକ ଯଥା: ସତ୍ୟବାଦୀ ଓ ପୁରୀସଦର ପାଇଁ ୧୮ ତାରିଖ ଦିନ ସକାଳ ୭ ଘଣ୍ଟିକା ସମୟରେରେ ସମସ୍ତ ଗାଡି ମୁତୟନ କରିବାକୁ ଆନୁରୋଧ କରାଯାଇଛି।

ସେହିପରି ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ୨୨ ତାରିଖ ହେବାକୁ ଥିବା ଦୁଇ ଗୋଟି ବ୍ଲକ ଯଥା: ଡେଲାଙ୍ଗ ଓ ପିପିଲି ପାଇଁ ୨୦ ତାରିଖ ଦିନ ସକାଳ ୭ ଘଣ୍ଟିକା ସମୟରେ ଏବଂ ଅନ୍ତିମ ପର୍ଯ୍ୟାୟରେ ୨୪ ତାରିଖରେ ନିର୍ବାଚନ ହେବାକୁ ଥିବା ଦୁଇ ଗୋଟି ବ୍ଲକ ଯଥା: ଅସ୍ତରଙ୍ଗ ଓ କାକଟପୁର ପାଇଁ ୨୨ ତାରିଖ ସକାଳ ୭ ଘଣ୍ଟିକା ସମୟରେ ଗାଡି ମୁତୟନ ନିମନ୍ତେ ସଂପୃକ୍ତ ଗାଡି ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥ୍‌ସହିତ ସମ୍ପୃକ୍ତ ଗାଡିମାଲିକମାନଙ୍କ ସହ ଯୋଗାଯୋଗ କରି ନିର୍ଦ୍ଦିଷ୍ଟ ତାରିଖ, ସ୍ଥାନ ଓ ସଠିକ ସମୟରେ ଗାଡି ମୁତୟନ ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ, ପୁରୀଙ୍କୁ ପରାମର୍ଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମାର କୌଣସି ତ୍ରୁଟି ପରିଲିଖତ ହେଲେ କିମ୍ବା ସଠିକ ସମୟରେ ଗାଡି ନ ପହଁଞ୍ଚାଇଲେ, ଖିଲାପକାରୀଙ୍କ ବିରୁଦ୍ଧରେ ନିର୍ବାଚନ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ କଠୋର ଦଣ୍ଡବିଧାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।