ପାଇପ୍ ବିଛାରେ ଭାଙ୍ଗିଲା ଶହେ ବର୍ଷର ଜଳ ନିଷ୍କାସନ କଲଭର୍ଟ


ରାଜକନିକା,୮/୪:ରାଜକନିକା ଭାରିଗଦାର ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାନୀୟ ଜଳ ପ୍ରକଳ୍ପ ପାଇଁ ଜୋର ଜବରଦସ୍ତ ପାଇପ୍ ବିଛା ଚାଲିଛି । କେତେବେଳେ ଲୋକଙ୍କ ଘରକାନ୍ଥ ନିକଟରେ ଖୋଳି ଦେଉଛନ୍ତିତ ଆଉ କେଉଁଠି ଘରବାରି ଜାଗା ଉପରେ ପାଇପ୍ ବିଛାଇଦେଉଛନ୍ତି । ଏହା ସହିତ ଶହେବର୍ଷର ରାଜକନିକାର ଐତିହ୍ୟ କନିକା ରାଜପ୍ରାସଦ ପରିସରୁ ବର୍ଷାଜଳ ନିଷ୍କାସନ ନିମନ୍ତେ ଶହେ ବର୍ଷର କଲଭର୍ଟକୁ ଭାଙ୍ଗି ପାଇପ୍ ବିଛାଇ ଦେଇଛନ୍ତି । ଏହି କାରଣକୁ ନେଇ ଶୁକ୍ରବାର ଅପରାହ୍ଣରେ ରାଜପ୍ରାସାଦ ନିକଟରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଶତାଧିକ ଲୋକେ ଏକାଠି ହୋଇ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି । ପାଇପ୍ ବିଛା କାମକୁ ବନ୍ଦ କରିଛନ୍ତି । ଯେପର୍ଯ୍ୟନ୍ତ କଳଭର୍ଟକୁ ତୁରନ୍ତ ନିର୍ମାଣ କରାନଯାଇଛି, ସେପର୍ଯ୍ୟନ୍ତ ପାଇପ୍ ବିଛା କାର୍ଯ୍ୟ କରାଇଦିଆଯିବ ନାହିଁ ବୋଲି ଲୋକେ କହିଛନ୍ତି । ଅଚ୍ୟୁତ୍‌ପୁର ଠାରେ ଜଣେ ଦୁଇତଳ ଘର ନିକଟରେ ଖୋଳି ପାଇପ୍ ବିଛାଇବାରୁ କୋଠାଘରଟି ଢ଼ଳିପଡ଼ିଥିଲା । ସେହିଭଳି ମେଘା କମ୍ପାନୀ ର କୌଣସି ଅଧିକାରୀ ଏଠାକୁ ନଆସି ଶ୍ରମିକ ଏବଂ ଅନଭିଜ୍ଞ କର୍ମଚାରୀମାନଙ୍କ ଦ୍ୱାରା ଭୟ ଦେଖାଇ ଜୋର ଜବରଦସ୍ତ ପାଇପ୍ ବିଛାଇ ଚାଲିଛନ୍ତି । ଆରସା ମୌଜାର ଘରବାରି ଜାଗାରେ ପାଇପ୍ ବିଛାଇଦେଇଥିଲେ । ହେଲେ ସଂପୃକ୍ତ ଜମିର ମାଲିକ ପାଟିତୁଣ୍ଡ କରିବା ଫଳରେ ୫ଟି ପାଇପ୍‌କୁ ଉଠାଇବାକୁ କମ୍ପାନୀ ବାଧ୍ୟ ହୋଇଥିଲେ । ଏହା ସହିତ ଆରସା ଠାରେ ଜଳନିଷ୍କାସନ ପାଇଁ ହୋଇଥିବା ଏକ କୋଟି ଟଙ୍କାର ଡ଼୍ରେନେଜ୍‌କୁ ଭାଙ୍ଗିବାକୁ କମ୍ପାନୀ ମସୁଧା କରୁଥିବାର ଜଣାପଡ଼ିଛି । ଆଜି ରାଜକନିକାର ଐତିହ୍ୟ ଶହେ ତେରବର୍ଷର କନିକା ରାଜପ୍ରସାଦ ସହିତ ସଂଯୁକ୍ତ ହୋଇଥିବା ଜଳ ନିଷ୍କାସନ କଲଭର୍ଟକୁ କର୍ମଚାରୀଙ୍କ ବାରଣ ସତ୍ୱେ ଜୋରଜବରଦସ୍ତ ଭାଙ୍ଗି ପାଇପ୍ ବିଛାଇ ଦେଇଛନ୍ତି । ଫଳରେ କନିକା ରାଜପ୍ରାସାଦକୁ ବିପଦ ଦେଖାଦେଇଛି । କନିକା ରାଜପ୍ରାସାଦ ପରିସରୁ ବର୍ଷା ଜଳ ନିଷ୍କାସନ ହୋଇପାରିବ ନାହିଁ । ଫଳରେ ବର୍ଷା ଦିନେ ପାଣିରେ ବୁଡ଼ି ରହିବ କନିକା ରାଜପ୍ରାସାଦ । ଏହି ଖବର ଜଣାପଡ଼ିବା ପରେ ଶତାଧିକ ଲୋକେ ଏହାକୁ ବିରୋଧ କରିଥିଲେ । ସେହିଭଳି କଣ୍ଟପଡ଼ା ବଜାରରେ ପାଇପ୍ ବିଛାକୁ ବ୍ୟବସାୟୀମାନେ ତୀବ୍ର ବିରୋଧ କରିଛନ୍ତି । ଏହି କାରଣକୁ ନେଇ ଜନ ଆନ୍ଦୋଳନ କରାଯିବା ନେଇ ବୈଠକ ବସୁଛି । ରାସ୍ତାରୋକ୍ କରାଯିବା ସହିତ ପାଇପ୍ ବିଛାକୁ ବନ୍ଦ କରାଯିବା ପାଇଁ ବୈଠକରେ ନିଷ୍ଫତି ହୋଇଥିବାର ଜଣାପଡ଼ିଛି । ଏଠାରେ ପ୍ରକାଶଥାଉକି ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ବଡ଼ ବଡ଼ ପାଇପ୍‌ରେ ଜଳ ନେବା ପାଇଁ ବୃହତ୍ତ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଏହି ପ୍ରକଳ୍ପ କାର୍ଯ୍ୟକୁ ଆଳି କନିକାବାସୀ ଗତ ଦୁଇ ବର୍ଷ ହେବ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି । ହେଲେ ପୁଲିସ ପ୍ରଶାସନ ଲୋକମାନଙ୍କୁ ଗିରଫଦାରି କରି କମ୍ପାନୀକୁ କାର୍ଯ୍ୟ କରିବାକୁ ସହଯୋଗ କରୁଥିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି ।

-Advertisement-
-Advertisement-