ନୂଆଦିଲ୍ଲୀ, ୦୭|୦୩: ପାଲେଷ୍ଟାଇନରେ ଅବସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ଦେହାନ୍ତ ହୋଇଯାଇଛି । ଭାରତର ଦୂତାବାସ କାର୍ଯ୍ୟାଳୟରୁ ତାଙ୍କର ମୃତଦେହ ମିଳିଥିଲା । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ମାମଲାରେ ଦୁଃଖ ପ୍ରକାଶ କରିଛନ୍ତି । ପାଲେଷ୍ଟାଇନର ରମଲ୍ଲାରେ ଥିବା ଭାରତୀୟ ଦୂତାବାସରେ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ଘଟିଛି । ତେବେ ସେ କେଉଁ କାରଣରୁ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ମୁକୁଲଙ୍କ ଦେହାନ୍ତ ଖବର ବ୍ୟଥିତ କରିଛି । ଏହାସହ ସେ ମୁକୁଲଙ୍କୁ ଜଣେ ପ୍ରତିଭାଶାଳୀ ଅଧିକାରୀ କହିଛନ୍ତି । ୨୦୦୮ ବେଞ୍ଚର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ଆର୍ଯ୍ୟ କାବୁଲ ଓ ମସ୍କୋସ୍ଥିତ ଭାରତୀୟ ଦୂତାବାସରେ କାମ କରିଥିଲେ । ଆର୍ଯ୍ୟ ଦିଲ୍ଲୀରେ ବିଦେଶ ମନ୍ତ୍ରାଳୟର ମୁଖ୍ୟକାର୍ଯ୍ୟାଳୟରେ ମଧ୍ୟ କାମ କରିଥିଲେ । ୨୦୦୮ ବ୍ୟାଚର ଆଇଏଫଏସ ଅଧିକାରୀ ମୁକୁଲ ଆର୍ଯ୍ୟ କେଉଁ କାରଣରୁ ପ୍ରାଣ ହରାଇଲେ ସେନେଇ ତଦନ୍ତ ଚାଲିଛି । ପାଲେଷ୍ଟାଇନ ସରକାର ମଧ୍ୟ ଏହାକୁ ମୃତ୍ୟୁକୁ ଆଶ୍ଚର୍ଯ୍ୟ ଓ ଦୁଃଖଦ କହିଛନ୍ତି । ଏପ୍ରସଙ୍ଗରେ ସେ ସମସ୍ତ ସହାୟତା ଯୋଗାଇବେ ବୋଲି ଆଶ୍ୱାସନା ଦେଇଛନ୍ତି । ପାଲେଷ୍ଟାଇନ୍ ବୈଦେଶିକ ମନ୍ତ୍ରାଳୟର କହିବାନୁସାରେ, ମୁକୁଲଙ୍କ ଦେହାନ୍ତ ଖବରରେ ରାଷ୍ଟ୍ରପତି ମହମ୍ମଦ ଅବ୍ବାସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ସତୟେହ ଦୁଃଖ ପ୍ରକାଶ କରିଛନ୍ତି । ମାମଲାର ତଦନ୍ତ ପାଇଁ ପୋଲିସ ଓ ଫରେନ୍ସିକ୍ ଟିମ୍କୁ ଦାୟିତ୍ୱ ଦିଆଯାଇଛି ।