ପୌର ନିର୍ବାଚନରେ ଇଭିଏମ୍ ତ୍ରୁଟି, ମତଦାନ ବାଧାପ୍ରାପ୍ତ

ଭୁବନେଶ୍ଵର, ୨୪/୦୩ : ରାଜ୍ୟରେ ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଭୋଟ୍ ୫ ଟା ପର୍ଯ୍ୟନ୍ତ ଜାରି ରହିବ । ତେବେ କିଛି ସ୍ଥାନରେ ଇଭିଏମ ମେଶିନରେ ତ୍ରୁଟି କାରଣରୁ ମତଦାନ ଆରମ୍ଭ ହୋଇପାରିନାହିଁ । କଟକ-ଭୁବନେଶ୍ୱରରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଛି । କଟକ ସିଡିଏସ୍ଥିତ ଡିଏଭି ସ୍କୁଲ୍‌ରେ ୩୦ ଓ ୩୭ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । ଇଭିଏମ ମେଶିନରେ ତ୍ରୁଟି ଦେଖାଦେବାରୁ ମତଦାନ ଆରମ୍ଭ ହୋଇପାରି ନାହିଁ । ସେହିଭଳି ଭୁବନେଶ୍ୱର ନୟାପଲ୍ଲୀରେ ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ ଇଭିଏମ୍ ମେସିନ୍‌ରେ ତ୍ରୁଟି ଦେଖାଦେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି ।ଭୁବନେଶ୍ଵରର ୪୧ ନମ୍ଵର ୱାର୍ଡର ୪୩୨ ନମ୍ଵର ବୁଥ୍, ନୟାପଲ୍ଲୀର ୪୦୮ ନମ୍ଵର ବୁଥ୍‌ରେ କାମ କରୁନି ଇଭିଏମ୍ ମେସିନ୍। ଯାହାଫଳରେ ଏହି ମତଦାନ କେନ୍ଦ୍ର ଗୁଡ଼ିକରେ ବିଳମ୍ଵରେ ମତଦାନ ଆରମ୍ଭ ହୋଇଛି। ସେହିପରି ଭଦ୍ରକର ୧୫ ନମ୍ବର ୱାର୍ଡର ୩୮ ନମ୍ବର ବୁଥ୍‌ରେ ଇଭିଏମ୍ ସମସ୍ୟା ପାଇଁ ୪୫ ମିନିଟ୍‌ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ଏତଦ୍ ବ୍ୟତୀତ ଜଗତସିଂହପୁର ପୌର ପରିଷଦ ୱାର୍ଡ ନମ୍ବର ୭ ନମ୍ଵର ୱାର୍ଡର ୯ ନମ୍ବର ବୁଥ୍‌ରେ କାଉନସିଲର ଇଭିଏମ୍‌ରେ ତ୍ରୁଟି ହୋଇଛି। ରାୟଗଡ଼ାର ୪ଟି ବୁଥ୍‌ରେ ମତଦାନ ଆରମ୍ଭ ହୋଇ ନାହିଁ। ଇଭିଏମ୍ ଖରାପ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ରାୟଗଡ଼ା ସହରର ୯, ୩୫, ୩୬, ୩୯ ନମ୍ବର ବୁଥରେ ମତଦାନ ବିଳମ୍ବ ହୋଇଛି।