ଝଡର ଇଗଲ ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀ ବିଶେଷ : କଳିଙ୍ଗ.ଭାରତର ଶ୍ରଦ୍ଧାଞ୍ଜଳି
ଆଜି ଓଡିଆ ଜାତି ପ୍ରାଣ ଓ ଝଡର ଇଗଲ ରୂପେ ଆକ୍ଷାୟିତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ବାର୍ଷିକୀ । ଓଡିଶାବାସୀଙ୍କ ଅତି ନିଜର ବିଜୁ ବାବୁ ଭାବେ ଘରେ ଘରେ ପରିଚିତ ସ୍ଵର୍ଗତ ବିଜୟାନନ୍ଦ ପଟ୍ଟନାୟକଙ୍କୁ ଓଡିଶା ଯେତେ ଭଲ ପାଉଥିଲା; ତା’ଠାରୁ ଅନେକ ଗୁଣରେ ଅଧିକ ଭଲପାଇବା ବିଜୁ ବାବୁଙ୍କ ମନରେ ଓଡିଶା ପାଇଁ ଥିଲା । ତାଙ୍କ ଜୀବନର ପ୍ରଥମ ପ୍ରାଥମିକତା ଥିଲା ଓଡିଶା । ବିଜୁ ବାବୁଙ୍କ ବ୍ୟାଖ୍ୟା କେବଳ ଜଣେ ରାଜନେତା ଭାବରେ କଲେ ଭୁଲ ହେବ, ସେ ଥିଲେ ଜଣେ ରାଷ୍ଟ୍ର ନାୟକ ଯାହାଙ୍କ ବିଶାଳ ହୃଦୟ ଓ ଅଦମ୍ୟ ସାହାସ ର ପରିଚୟ ସୁଦର ଇଣ୍ଡୋନେସିଆ ମାଟିରେ ବି ଦେଖିବାକୁ ମିଳିଥିଲା ।
ଆଜି ଯେତେବେଳେ ତଥାକଥିତ ‘ବିକାଶ’ ର ରାଜନୈତିକ ନାରାରେ ସାରା ଦେଶ ପ୍ରକମ୍ପିତ; ସେତେବେଳେ ଏହା ନିଶ୍ଚୟ ମନେରଖିବା ଉଚିତ ଯେ ଆଧୁନିକ ଓଡିଶା ଇତିହାସ ରେ ବିକାଶ ପୃଷ୍ଠା ଲେଖାଗଲାବେଳେ ବିଜୁ ବାବୁଙ୍କ ଅବଦାନକୁ ଭୁଲିଗଲେ ଭୁଲ ହେବ । ହୁଏତ ଓଡିଶା ମାଟିରେ ବିଜୁ ବାବୁ ଜନ୍ମ ହୋଇ ନଥିଲେ ଓଡିଶାର ଅବସ୍ଥା ଆଜି ଭିନ୍ନ ହୋଇଥାନ୍ତା । ସ୍ଵାଧୀନତା ପରବର୍ତ୍ତୀ ସମୟରେ ଓଡିଶା ଯେତେବେଳେ ନିଜ ଅଣ୍ଟା ସଳଖ କରିବାକୁ ଚେଷ୍ଟିତ ଥିଲା ସେତେବେଳେ ଅର୍ଥନୈତିକ ସମ୍ବୃଦ୍ଧିର ଆବଶ୍ୟକତା କୁ ଦୃଷ୍ଟିରେରଖି ଓଡିଶା ର ବିକାଶ ମାନଚିତ୍ରର ରେଖାଚିତ୍ର ପ୍ରସ୍ତୁତକାରୀ ଥିଲେ ବିଜୁ ପଟ୍ଟନାୟକ ।
ଜଣେ ପେଷାଦାର ଦୁଃସାହାସୀ ବୈମାନିକ ଓ ତତ୍କାଳୀନ ଭାରତରେ ଶିଳ୍ପାୟନର ଜଣେ ଅଗ୍ରଣୀ ରୂପକାର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରି ନିଜର ସର୍ବସ୍ଵ ଶକ୍ତି ଓ ସାମର୍ଥ୍ୟ ଓଡିଶାର ବିକାଶ ଦିଗରେ ଉତ୍ସର୍ଗ କରିଥିଲେ । ଦେଖିବାକୁଗଲେ ବିଜୁ ବାବୁ ହିଁ ସେତେବେଳର ଭାରତରେ ନିଜ ଉଦ୍ୟମରେ ବିଭିନ୍ନ ଷ୍ଟାର୍ଟ-ଅପ (Start-up) ଶିଳ୍ପାନୁଷ୍ଠାନ ଗଠନ କରିଥିଲେ ଓଡିଶା ମାଟିରେ । ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ, କଳିଙ୍ଗ ରେଫ୍ରିଜରେଟର ୱାର୍କ୍ସ, କଳିଙ୍ଗ ଏୟାରଲାଇନ୍ସ ଏବଂ କଳିଙ୍ଗ ଟ୍ୟୁବ୍ ଇତ୍ୟାଦି ଗଠନ କରି ଜଣେ ସଫଳ ଶିଲ୍ପପତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ଓଡିଶା କୁ ଯେକୌଣସି ବିଦେଶ ରାଷ୍ଟ୍ର ର ସମକକ୍ଷ ସମ୍ବୃଦ୍ଧ ଓ ବିତ୍ତଶାଳୀ କରି ଗଢିତୋଳିବା ଲକ୍ଷ ନେଇ ଆଜୀବନ ଚେଷ୍ଠାରତ ଥିଲେ ବିଜୁ ବାବୁ ।
ପରବର୍ତ୍ତୀ ସମୟରେ ରାଜନୀତିରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦପଦବୀରେ ଥାଇ ଅଥବା କୌଣସି ପଦପଦବୀରେ ନଥାଇ ବି ବିଜୁ ବାବୁ ତାଙ୍କ ଉଦ୍ୟମ ଜାରି ରଖିଥିଲେ ।
୧୯୬୧ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମେ ସେ କହିଥିଲେ ଯେ ‘ସ୍ଵାଧୀନତା ପରେ ଓଡିଶା ବିକାଶ କ୍ଷେତ୍ର ରେ ପ୍ରତ୍ଯେକ ଦିଗରେ ଭାରତର ର ଅନ୍ୟ ରାଜ୍ୟ ମାନଙ୍କ ଠାରୁ ପଛରେ ଅଛି, ପ୍ରକୃତରେ ଅନେକ ପଛରେ… ପଶ୍ଚିମ ବଂଗ , ମହାରାଷ୍ଟ୍ର, ତାମିଲନାଡୁ ଓ ପଞ୍ଜାବ ଇତ୍ୟାଦି ରାଜ୍ୟ ଠାରୁ ବହୁତ ପଛରେ… ଆମେ ମାନେ ପ୍ରାୟ ଦୁଇ ଦଶକ ପରେ ଆରମ୍ଭ କରିଛେ । ତେଣୁ ଆମକୁ ଅନ୍ୟ ରାଜ୍ୟ ମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ବହୁ ଗୁଣ ଅଧିକ ଚେଷ୍ଠା କରିବାକୁ ପଡିବ ।‘ ତତ୍କାଳୀନ ଓଡିଶାର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଥିଲା । ବିଜୁ ବାବୁଙ୍କ ଭାବନାଥିଲା ଯେ ଶିଳ୍ପାୟନ ଓଡିଶା ପାଇଁ ଜରୁରୀ ଯାହା ଫଳରେ କିଛି ଲୋକ କୃଷିରୁ ବାହାରି ଓଡିଶା ର ଶିଳ୍ପାୟନରେ ଯୋଗଦେଇ ଏକ ନୂଆ ବିକଳ୍ପ ବଳିଷ୍ଠ ଅର୍ଥନୀତି ର ଆରମ୍ଭ କରିବେ । କେବଳ କୃଷି ଉପରେ ନିର୍ଭରଶୀଳତା ବି ରହିବନି ଓ ଏକ ବିକଳ୍ପ ଅର୍ଥନୀତି ସୃଷ୍ଟି ହେବ । ବାରମ୍ବାର ପ୍ରକୃତିକ ଦୁର୍ବିପାକ ପ୍ରପୀଡିତ ଓଡିଶା ପାଇଁ ଏହା ଠାରୁ ବଡ ମାର୍ଗଦର୍ଶନ କ’ଣ ହୋଇ ପାରେ ? ଏହାବାଦ କୃଷି କ୍ଷେତ୍ର କୁ ସମ୍ପୂର୍ଣ ଭୁଲି ନଯାଇ ବରଂ ଅଧିକ ସୁଦୃଢ କରିବା ନିମନ୍ତେ ଉନ୍ନତ ତଥା ଆଧୁନିକ ବୈଷୟିକ ଜ୍ଞାନକୌଶଳ ର ଆବଶ୍ୟକତା କୁ ସେ ଖୁବ ଅନୁଭବ କରିଥିଲେ। ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେଉ ନେଉ ସେ ରାଉରକେଲା ଇସ୍ପାତ କାରଖାନା ଓ ହୀରାକୁଦ ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ କୁ ତ୍ୱରାନ୍ୱିତ କରିଥିଲେ । ପାରାଦୀପ ବନ୍ଦର, ଦୈତାରୀ – ପାରାଦୀପ ଏକ୍ସପ୍ରେସ ହାଇୱେ, ଇଡକୋ, ରାଜ୍ୟ ଯୋଜନା ବୋର୍ଡ ଗଠନ କରି ବିଜୁ ଓଡିଶା ପାଇଁ ନୂଆ ଇତିହାସ ରଚନା କରିଥିଲେ।
ବିଜୁ ପଟ୍ଟନାୟକ ଛୋଟ ଜଳସେଚନ ପ୍ରକଳ୍ପ, ଗ୍ରାମୀଣ ରାସ୍ତା ଏବଂ ନିର୍ମାଣ କ୍ଷେତ୍ରରେ ବୈଷୟିକ ପରାମର୍ଷ ଓ ପାରଦର୍ଶୀ ସେବା ପ୍ରଦାନ କରିବାକୁ ଗ୍ରାମୀଣ ଇଞ୍ଜିନିୟରିଂ ୱାର୍କସ ସଂଗଠନ ମଧ୍ୟ ପ୍ରତିଷ୍ଠା କରିଥିଲେ । ଏକ ଛୋଟ କିନ୍ତୁ କ୍ଷଣିକ ଉପାୟରେ ଏହି ସଂଗଠନ ଜଳସେଚନ ସମ୍ଭାବନାକୁ ବଢାଇ ଓଡିଶାର କୃଷି କ୍ଷେତ୍ରକୁ ଗତିଶୀଳ କରାଇଥିଲା ।
ବିଜୁ ବାବୁଙ୍କ ଯୋଗୁଁ ଆଜି ଓଡିଶା ମାଟିରେ ଆମେ ଦେଖି ପାରୁଛେ ରାଷ୍ଟ୍ରୀୟ ଉଦ୍ୟୋଗ ନାଲକୋ (NALCO), ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (NIT), ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (HAL), ଜଙ୍ଗଲ ଓ ପରିବେଶ ମାନ୍ତ୍ରାଳୟ ର କ୍ଷେତ୍ରୀୟ କାର୍ଯ୍ୟାଳୟ ଇତ୍ୟାଦି।
ଆଜି ବିଜୁ ବାବୁଙ୍କ ଜନ୍ମ ଦିନରେ ଯଦି ଆମେ ସବୁ ଓଡିଆ କିଛି ସମୟ ଓଡିଶା ପାଇଁ ବିଜୁଙ୍କ ଅବଦାନ, ଆଭିମୁଖ୍ୟ ଓ ଅସରନ୍ତି ଭଲପାଇବା ର ଗାଥା ପଢିଲେ କି ଆଲୋଚନା କଲେ ସେଥିରୁ ନିଶ୍ଚୟ କିଛି ବାର୍ତ୍ତା ଓ ଊର୍ଜା ଆହରଣ କରିପାରିବା ଏବଂ ଆମ ରାଜ୍ୟ ଓଡିଶା ତଥା ଆମ ସଭିଙ୍କ ନିମନ୍ତେ ଏକ ସମ୍ବୃଦ୍ଧ ଭବିଷ୍ୟତ ଗଠନ କରିପାରିବା । ବିଜୁ ବାବୁଙ୍କ ଜୀବନର ଯେ କୌଣସି ଗୋଟିଏ ଦିନର କାର୍ଯ୍ୟ କୁ ଅନୁଶୀଳନ କରି କିଛି ବି ଶିଖି ପାରିଲେ ଜଣେ ସଫଳ ଓଡିଆ ହେବାରେ ନିଶ୍ଚୟ ସହାୟକ ହେବ ।