ବିଜେଡ଼ି ସମର୍ଥିତ ମିନତୀ ହେଲେ ରାଜକନିକା ପଂଚାୟତ ସମିତି ଅଧ୍ୟକ୍ଷା

ରାଜକନିକା,୧୨/୩:କେନ୍ଦ୍ରାପଡ଼ା ଜିଲା ରାଜକନିକା ପଂଚାୟତ ସମିତିର ଅଧ୍ୟକ୍ଷା ଭାବେ ବିଜେଡ଼ି ସମର୍ଥିତ ମିନତୀ ରାଉତ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ରାଉତ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ତଥା ପ୍ରାକ୍ତନ ରାଜକନିକା ବ୍ଲକ୍ କଂଗ୍ରେସ ସଭାପତି ବାବୁରାମ ଜେନାଙ୍କ ଠାରୁ ୭ଖଣ୍ଡ ଅଧିକ ଭୋଟ ପାଇ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ରାଜକନିକା ବ୍ଲକ୍‌ର ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରାଥମିକତା ଦେବା ସହିତ ବାକି ରହିଥିବା ସମସ୍ତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଉଦ୍ୟମ କରିବେ ବୋଲି ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ରାଉତ କହିଛନ୍ତି । ଏହା ସହିତ ସେ ରାଜକନିକା ବ୍ଲକ୍‌କୁ ଜିଲାରେ ଏକ ନମ୍ବର କରିବାକୁ ଚେଷ୍ଠା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ପାରିନୂଆପଡ଼ା ଗ୍ରାମ ପଂଚାୟତର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ରାଉତଙ୍କୁ ରାଜକନିକା ବ୍ଲକ୍ ବିଜେଡ଼ି ସଭାପତି ବିଦ୍ୟାଧର ବେହେରା, ବିଧାୟକଙ୍କ ପ୍ରତିନିଧି ବରିଷ୍ଠ ବିଜେଡ଼ି ନେତା ବିକାଶ ଚନ୍ଦ୍ର ଦାସଙ୍କ ସମେତ ନବନିର୍ବାଚିତ ଜନପ୍ରତିନିଧି ଏବଂ ବିଜେଡ଼ିର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଅଧ୍ୟକ୍ଷା ଶ୍ରୀମତୀ ରାଉତ ପାରିନୂଆପଡ଼ା ଗ୍ରାମ ପଂଚାୟତରୁ ସମିତି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ରାଜକନିକା ବ୍ଲକ୍‌ର ୨୯ଟି ଗ୍ରାମ ପଂଚାୟତ ମଧ୍ୟରୁ ବିଜେଡ଼ି ସମର୍ଥିତ ୧୯ଟି ସମିତି ସଦସ୍ୟ ନିର୍ବାଚିତ ହୋଇଥିବା ବେଳେ ୮ଟି କଂଗ୍ରେସ ସମର୍ଥିତ ସଦସ୍ୟ ଏବଂ ଦୁଇଟି ବିଜେପି ସମର୍ଥିତ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ହେଲେ ଶନିବାର ଅଧ୍ୟକ୍ଷା ନିର୍ବାଚନରେ ବିଜେଡ଼ିର ୧୯ଟି ସଦସ୍ୟ ମଧ୍ୟରୁ ୧୮ଟି ଭୋଟ ପାଇଥିବାରୁ ଗୋଟିଏ ବିଜେଡ଼ି ଭୋଟ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି । ଏହି ଘଟଣାକୁ ନେଇ ରାଜକନିକା ବିଜେଡ଼ି କର୍ମକର୍ତ୍ତାଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଆଳି ବିଧାୟକଙ୍କ ହୁଇପ୍ ଜାରିକୁ କୌଣସି ଜଣେ ସମିତି ସଭ୍ୟ ମାନିନଥିବାର କୁହାଯାଉଛି । ଯାହା ଫଳରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବରିଷ୍ଠ କଂଗ୍ରେସ ନେତା ବାବୁରାମ ଜେନା ୧୧ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।