ଭାରତରେ ପଢିପାରିବେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ!

ଭୁବନେଶ୍ବର, ୫/୩: ସମ୍ପ୍ରତି ୟୁକ୍ରେନ ଓ ଋଷ ମଧ୍ୟରେ ଚାଲୁଥିବା ଯୁଦ୍ଧ ସମୟରେ ୟୁକ୍ରେନରେ ଡାକ୍ତରୀ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵଦେଶ ଫେରାଇ ଆଣିବାକୁ ଓଡିଶା ସରକାର ସମେତ ଭାରତ ସରକାର ସମସ୍ତ ବଳ ଖଟାଇଛନ୍ତି । ଏହି ଅବସରରେ ଭାରତ ପ୍ରତ୍ୟାବର୍ତ୍ତନ କରୁଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ବିଶିଷ୍ଠ ଶିକ୍ଷାବିତ, ସାଂସଦ (କନ୍ଧମାଳ ଲୋକସଭା କ୍ଷେତ୍ର) ଓ କିଟ୍-କିସ ବିଶ୍ୱବିଦ୍ୟାଳୟ ଦ୍ବୟର ପ୍ରତିଷ୍ଠାତା ଡ଼ଃ. ଅଚ୍ୟୁତ ସାମନ୍ତ ପ୍ରସ୍ତାବ ଦେଇଛନ୍ତି ଯେ ବର୍ତ୍ତମାନ ଦେଶରେ ୩୨୫ ଗୋଟି ବେସରକାରୀ ମେଡିକାଲ କଲେଜ କୁ ମିସାଇ ସମୁଦାୟ ୬୦୫ ଗୋଟି ମେଡିକାଲ କଲେଜ ଅଛି । ୟୁକ୍ରେନରୁ ଫେରୁଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଆମ ଦେଶ ମଧ୍ୟରେ ଥିବା ମେଡିକାଲ କଲେଜ ମାନଙ୍କରେ ଭର୍ତ୍ତି କରାଯାଇପାରିବ । କଲେଜ ଗୁଡିକରେ ବର୍ତ୍ତମାନ ଉପଲବ୍ଧ ଭିତ୍ତିଭୂମି ଏହି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଲାଭ ନିମନ୍ତେ ଯୋଗ୍ୟ ।

ୟୁକ୍ରେନ ରୁ ଫେରୁଥିବା ମୋଟ ପ୍ରାୟ ୮୦୦ ଓଡ଼ିଆଙ୍କ ସମେତ ୧୮୦୦୦ ଭାରତୀୟ ଛାତ୍ରଛାତ୍ରୀ ଙ୍କୁ ସେମାନଙ୍କ ପ୍ରଯୁଜ୍ୟ ଶ୍ରେଣୀ ମାନଙ୍କରେ ଭାରତୀୟ ମେଡିକାଲ କଲେଜ ସମୂହରେ ନାମଲେଖା ସୁଯୋଗ ମିଳିଲେ ସେମାନଙ୍କର ଡାକ୍ତରୀ ଶିକ୍ଷାରେ ନିରାନ୍ତରତା ବଜାୟ ରହିବ । ମେଡିକାଲ କଲେଜ ଗୁଡିକରେ ପ୍ରତ୍ୟେକ ବାର୍ଷିକ ଶ୍ରେଣୀରେ ୩୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ଙ୍କ ନାମାଙ୍କନ କରାଇଲେ ଭିତ୍ତିଭୂମି ଦୃଷ୍ଟିରୁ କୌଣସି ବାଧା ନାହିଁ । ପାଠ୍ୟକ୍ରମ ଫିସ କୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇ ଅନ୍ୟ ସରକାରୀ ମେଡିକାଲ କଲେଜର ଫିସ ସମକକ୍ଷ ରଖିଲେ ପୀଡ଼ିତ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ଓ ସେମାନଙ୍କର ଶିକ୍ଷା ଗ୍ରହଣ ବାଧାପ୍ରାପ୍ତ ହେବ ନାହିଁ ।

ଏନେଇ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବାକୁ ଡ଼ଃ. ସାମନ୍ତ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମନସୁଖ ମଣ୍ଡାଭ୍ୟ ଙ୍କୁ ଅନୁରୋଧ କରିବେ ବୋଲି ଏକ ରାଷ୍ଟ୍ରୀୟ ଟିଭି ଚ୍ୟାନେଲ କୁ ସାକ୍ଷାତକାର ଦେଇ କହିଛନ୍ତି।