ଭାରତ ଋଷକୁ ଯୁଦ୍ଧ ରୋକିବା ପାଇଁ କହୁ : ମନ୍ତ୍ରୀ ଦିମିତ୍ରୋ କୁଲେବା

କିଭ୍‌, ୦୬/୦୩:ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧକୁ   ୧୦ ଦିନ ହୋଇଗଲାଣି ତଥାପି ପରିସ୍ଥିତିରେ ସାମାନ୍ୟ ମଧ୍ୟ ପରିବର୍ତ୍ତନ ଦେଖାଯାଉ ନାହିଁ । ୟୁକ୍ରେନ୍‌ ଉପରେ ଲଗାତାର ଆକ୍ରମଣ କରୁଛି ଋଷ୍‌ ।  ଋଷ୍‌ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ୟୁକ୍ରେନ୍‌ ସାହସର ସହ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ଯୁଦ୍ଧ ଟାଳିବାକୁ ମଧ୍ୟ ପ୍ରୟାସ କରୁଛି । ୟୁକ୍ରେନ୍‌ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରି କୁଲେୱା ଭାରତକୁ ଅପିଲ୍‌ କରିଛନ୍ତି ଯେ ଋଷ୍‌କୁ ଆକ୍ରମଣ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଉ ।ଏମିତି ସ୍ଥିତିରେ ଋଷ ଆକ୍ରମଣକୁ ରୋକିବାକୁ ପୁଣିଥରେ ଭାରତକୁ ଅନୁରୋଧ କରିଛି ୟୁକ୍ରେନ୍।

ଏକ ଟେଲିଭିଜନ୍‌ ସାକ୍ଷାତକାରରେ କୁଲେୱା ଋଷ୍‌ ଯୁଦ୍ଧ ବିରାମ ସନ୍ଧିର ଉଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି । ଏଥିସହିତ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଦେଶକୁ ଯିବା ପାଇଁ ଗୁଳି ଚାଳନା ବନ୍ଦ ରଖିବାକୁ ଅପିଲ୍‌ କରିଛନ୍ତି । କୁଲେୱା କହିଛନ୍ତି ଯେ ଋଷ୍‌ ସେହି ଦେଶମାନଙ୍କୁ ସହାନୁଭୂତି ଦେଖାଉଛି ଯାହାର ନାଗରିକମାନେ ୟୁକ୍ରେନ୍‌ରେ ଫଶିଛନ୍ତି । ଋଷ୍‌ ଯଦି ସାହାଯ୍ୟ କରେ ତେବେ ବିଦେଶୀମାନଙ୍କୁ ସୁରକ୍ଷିତ ଘରକୁ ପଠାଯାଇପାରିବ । ଭାରତ, ଚିନ୍‌ ଏବଂ ନାଇଜେରିଆକୁ ସେ ନିବେଦନ କରିଛନ୍ତି ଯେ ଋଷ୍‌କୁ ଫାୟାରିଂ ବନ୍ଦ କରିବା ସହିତ ବିଦେଶୀ ନାଗରିକଙ୍କୁ ଯିବାକୁ ଦେବା ପାଇଁ ଅପିଲ୍‌ କରନ୍ତୁ ।  ତେଣୁ ସଂଘର୍ଷର ଅନ୍ତ ହେବା ସମସ୍ତଙ୍କ ପାଇଁ ସର୍ବୋତ୍ତମ ହେବ। ସେ କହିଛନ୍ତି ” ଭାରତ ୟୁକ୍ରେନର କୃଷି ଉତ୍ପାଦର ସବୁଠାରୁ ବଡ଼ ଉପଭୋକ୍ତା। ଯଦି ଯୁଦ୍ଧ ଜାରି ରହେ ତେବେ ଆମ ପାଇଁ ନୂଆ ଫସଲ ତିଆରି କରିବା କଷ୍ଟକର ହୋଇପଡ଼ିବ। ଆଗକୁ ଗମ୍ଭୀର ପରିସ୍ଥିତି ଉତ୍ପନ ହେବ। ତେଣୁ ବିଶ୍ୱ ଓ ଭାରତର ଖାଦ୍ୟ ସୁରକ୍ଷା ଦିଗରେ ହିତ କରିବାକୁ ହେଲେ ଯୁଦ୍ଧ ରୋକିବା ସର୍ବୋତ୍ତମ ହେବ।”