ନୂଆଦିଲ୍ଲୀ,୦୨।୦୪: ଭାରତକୁ ତିନିଦିନ ଗସ୍ତରେ ଆସିଥିବା ନେପାଳର ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେଓବାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାରତ-ନେପାଳ ସଂପର୍କକୁ ନୂଆ ଶିଖରକୁ ନେବା ପାଇଁ ମିଳିମିଶି କାର୍ଯ୍ୟ କରିବା ସଂପର୍କରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି । ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିରେ ୪ଟି ବୁଝାମଣା ଉପରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ନେପାଳରେ RuPay ଲଞ୍ଚ କରିଛନ୍ତି । ପ୍ରଥମ ଚୁକ୍ତିରେ ଭାରତର ନେତୃତ୍ୱରେ ଆରମ୍ଭ ହୋଇଥିବା ଇଣ୍ଟରନ୍ୟାସନାଲ ସୋଲାର ଆଲିୟାନ୍ସରେ ନେପାଳ ସାମିଲ ହୋଇଛି। ସେହିପରି ଦ୍ୱିତୀୟ ଚୁକ୍ତିରେ ଦୁଇ ଦେଶ ରେଲୱେକୁ ନେଇ ବୈଷୟିକ ସହଯୋଗ ବଢାଇବାକୁ ରାଜି ହୋଇଛନ୍ତି। ତୃତୀୟରେ ନେପାଳକୁ ପେଟ୍ରୋଲିୟମ ଉତ୍ପାଦ ଯୋଗାଇବା ଉପରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଏବଂ ନେପାଳ ଅଏଲ କର୍ପୋରେସନ ମଧ୍ୟରେ ଏଥିପାଇଁ ଏକ ଏମଓୟୁ ସ୍ୱାକ୍ଷର ହୋଇଛି। ସେହିପରି ଚତୁର୍ଥ ବୁଝାମଣାରେ ନେପାଳ ଅଏଲ କର୍ପୋରେସନ ଏବଂ ଆଇଓସିଏଲ ମଧ୍ୟରେ ବୈଷୟିକ ସହଯୋଗ ଉପରେ ଚୁକ୍ତି ସ୍ୱାକ୍ଷର ହୋଇଛି।ଦୁଇ ରାଷ୍ଟ୍ରମୁଖ୍ୟଙ୍କ ବୈଠକ ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସବାର୍ତ୍ତାର ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଦେଉବାଙ୍କୁ ସ୍ୱାଗତ କରିଥିଲେ । ଏହାସହ ନେପାଳ ରାଷ୍ଟ୍ରପତି ଏବଂ ନେପାଳବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ଦେଓବା ଆଜି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ମଧ୍ୟ ସାକ୍ଷାତ କରି ତାଙ୍କ ସହ ଆଲୋଚନା କରିବେ । ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋବାଲ୍ଙ୍କ ସହ ମଧ୍ୟ ତାଙ୍କର କଥାବାର୍ତ୍ତା ହେବାର କାର୍ଯ୍ୟସୂଚୀ ରହିଛି । ଦିଲ୍ଲୀରେ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ସେ ବାରାଣସୀ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି । ଭାରତ ଓ ନେପାଳ ମଧ୍ୟରେ ଦୀର୍ଘ ଦିନରୁ ସ୍ୱତନ୍ତ୍ର ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରହିଛି ।