ରାଜକନିକା,୨୫/୨:ରାଜକନିକା ବ୍ଲକ୍ ଅନ୍ତର୍ଗତ ଆରସା ଶିବ ମନ୍ଦିର ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଧାନ ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି । ଜଣେ ଗୁରୁତ୍ତରଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ମୁତାବକ କଟକ-ଚାନ୍ଦବାଲି ରାସ୍ତାରେ କଣ୍ଟପଡ଼ା ବଜାରରୁ ଏକ ଧାନ ବୋଝେଇ ଟ୍ରାକ୍ଟର ଦୃତ ଗତିରେ ରାସ୍ତାରେ ତିନି ଜଣ ମଟର ସାଇକେଳ ଆରୋହୀଙ୍କୁ ଧକ୍କା ଦେଇ ଆରସା ଛକ ଗ୍ୟାରେଜରେ କାମ କରୁଥିବା ମିସ୍ତ୍ରୀ ଏବଂ ଠିଆ ହୋଇଥିବା ଯୁବକଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ଫଳରେ ଧାନ ବସ୍ତା ଲୋକମାନଙ୍କ ଉପରେ ପଡ଼ିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ନୂଆ ଆରସା ଗ୍ରାମର ଉତ୍ତମ ନାୟକ(୨୪), ଆରସା ଗ୍ରାମର ତନୁଜ ଜେନା(୩୦) ସାଗର ବେହେରା(୨୫), ମଲ୍ଲିସାହାଡ଼ା ଗ୍ରାମର ଅଲ୍ଲୀ ଖାନ୍(୫୫) ଆହତ ହୋଇଥିବା ବେଳେ ବଜରପୁର ଗ୍ରାମର ବୁନୁ ବେହେରା(୩୫) ଗୁରୁତ୍ତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କର ଅବସ୍ଥା ଗୁରୁତ୍ତର ରହିଥିବାର ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଂଚି ଟ୍ରାକ୍ଟର ଚାଳକଙ୍କୁ ଅଟକ ରଖିଥିବାର ଜଣାପଡ଼ିଛି ।