କଟକ, ୨୯/୪: ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍କଳଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ‘ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଧୁବାବୁ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ। ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ୱାଭିମାନ ର ଗୌରବମୟ ଗାଥା। ଭିଡିଓ କନ୍ଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ଯେ ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର । ଏହି ସଂଗ୍ରହାଳୟରେ ସମସ୍ତଙ୍କୁ ବିଶେଷ କରି ଯୁବ ପିଢିଙ୍କୁ ଓଡିଆ ସ୍ବାଭିମାନର ସୁରକ୍ଷା ପାଇଁ ପ୍ରେରଣା ଦେଇ ଚାଲିବ ବୋଲି ସେ କହିଥିଲେ ।ଏକ ଆଦର୍ଶ ଗ୍ରାମ ରୂପେ ବିକଶିତ କରାଯାଉଛି । ଏହି ଗ୍ରାମକୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିବ । ମଧୁବାବୁଙ୍କ ଆଦର୍ଶରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ପାଇଁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଥିଲେ ଯେ ମଧୁବାବୁଙ୍କ ଜାତି ପ୍ରୀତି ଓ ତ୍ୟାଗର ତୁଳନା ନାହିଁ । ଓଡ଼ିଆ ଜାତି ପାଇଁ ମଧୁବାବୁ ତାଙ୍କର ସବୁ କିଛି ତ୍ୟାଗ କରିଯାଇଛନ୍ତି । ତାଙ୍କ ପାଇଁ ଓଡ଼ିଆ ସ୍ୱାଭିମାନ ଥିଲା ସବୁଠୁ ଉପରେ । ଏ ଜାତି ପାଇଁ ତାଙ୍କର ଅବଦାନ ତାଙ୍କୁ ଓଡ଼ିଆଙ୍କ ହୃଦୟରେ ଯୁଗ ଯୁଗ ପାଇଁ ଅମର କରି ରଖିବ । ଓଡ଼ିଶାକୁ ମଧୁବାବୁଙ୍କ ଅବଦାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଭାଷାକୁ ଭିତ୍ତି କରି ରାଜ୍ୟ ଗଠନ ପାଇଁ ମଧୁବାବୁଙ୍କ ଉଦ୍ୟମ, ତାଙ୍କ ଦୂରଦୃଷ୍ଟିର ପରିଚୟ ଦିଏ । ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ସଂପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ସଂଗ୍ରହାଳୟରେ ମଧୁବାବୁଙ୍କ ଅନ୍ତୁଡ଼ିଶାଳ, ପିଲା ଦିନର ବିରଳ ଫଟୋ, ଜନ୍ମ ଜାତକ, ଢିଙ୍କି ଆଦି ବିଭିନ୍ନ ବିରଳ ଜିନିଷ ସ୍ଥାନ ପାଇଛି ।